ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମଣିଷ ସମ୍ପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼। ସେହିପରି ମନୁଷ୍ୟକୃତ ବିପର୍ଯ୍ୟୟ ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ମଧ୍ୟ କଷ୍ଟକର ହୋଇପଡ଼େ। ଉପଯୁକ୍ତ ନିୟନ୍ତ୍ରଣ ତଥା ପରିଚାଳନା ବ୍ୟବସ୍ଥା ଗ୍ରହଣ ଦ୍ୱାରା ବିପର୍ଯ୍ୟୟ ପୂର୍ବ ଏବଂ ପରବର୍ତ୍ତୀ କାର୍ଯ୍ୟ ତ୍ୱରାନ୍ବିତ ହୁଏ। ଫଳରେ ଧନଜୀବନ କମ୍ ନଷ୍ଟ ହେବା ସହିିତ କ୍ଷୟକ୍ଷତିକୁ ହ୍ରାସ କରାଯାଇ ପାରିଥାଏ। ତେଣୁ ବିପର୍ଯ୍ୟୟ ନିୟନ୍ତ୍ରଣ ଏବେ ଆଶାର କିରଣ ପାଲଟିଛି। ପୃଥିବୀ ବ୍ୟାପୀ ଗତ ଦୁଇବର୍ଷ ଧରି ଜାରି ରହିଥିବା କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ବିଭିନ୍ନ ଦେଶ ତଥା ଜାତିସଂଘର ଭିନ୍ନ ଭିନ୍ନ ଶାଖା ସଂସ୍ଥା ପକ୍ଷରୁ ଜାରି ରହିଥିବା କାର୍ଯ୍ୟରୁ ଏହା ସହଜରେ ଅନୁମାନ କରାଯାଇ ପାରେ। ବିପର୍ଯ୍ୟୟ ପାଇଁ ଆଗୁଆ ପ୍ରସ୍ତୁତି ଦ୍ୱାରା ବହୁ ବିପଦ ଟଳି ଯାଇଥାଏ। ତେଣୁ ମାନବ ସମାଜକୁ ବିପର୍ଯ୍ୟୟରୁ ସୁରକ୍ଷା ଯୋଗାଇ ଦେବା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟ ନେଇ ଜାତିସଂଘର ଅନୁମୋଦନ ଅନୁସାରେ ପ୍ରତିବର୍ଷ ଅକ୍ଟୋବର ୧୩ରେ ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଇଥାଏ। ବିପର୍ଯ୍ୟୟ ବିପଦ ହ୍ରାସ, ବାସସ୍ଥାନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ବିପର୍ଯ୍ୟୟରୁ ସୁରକ୍ଷିତ କରିବା, ଲୋକଙ୍କୁ ସ୍ଥାନାନ୍ତର ଏହି ଦିବସର ମୂଳ ଲକ୍ଷ୍ୟ। ପ୍ରାକୃତିକ ବିପଦ ହେଉ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ, ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକର ପ୍ରସ୍ତୁତି ଦ୍ୱାରା ବହୁ ଜୀବନ ରକ୍ଷା ହୋଇ ପାରିଥାଏ। ମାନବ ସମାଜକୁ ବିପର୍ଯ୍ୟୟରୁ ସୁରକ୍ଷା ପ୍ରଦାନ ପାଇଁ ୧୯୮୯ରୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୦୨ରେ ଜାତିସଂଘର ମହାସଭାରେ ବିପର୍ଯ୍ୟୟ ନିୟନ୍ତ୍ରଣ ନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପରେ ୨୦୦୯ରେ ପ୍ରତିବର୍ଷ ଅକ୍ଟୋବର ୧୩କୁ ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ଭାବେ ପାଳନ କରିବାକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯିବା ସହିତ ବିପର୍ଯ୍ୟୟର ପ୍ରଭାବ କିପରି ହ୍ରାସ କରାଯିବ ସେ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।