Categories: ଜାତୀୟ

ବିଚାରାଧିନ ମାମଲାଗୁଡ଼ିକ ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଆହ୍ୱାନ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ ଆହ୍ୱାନ । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜିଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ସମସ୍ତ ଅଂଶୀଦାର ଏକାଠି ହୋଇ ବକେୟା ମାମଲାର ସମାଧାନ ପାଇଁ ଉପାୟ ଖୋଜିବା ଉଚିତ ।

ଆଇନ୍‌ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ତାଙ୍କ ଅଭିଭାଷଣରେ ସୁପି୍ରମ୍‌କୋର୍ଟ ୭୫ ବଷଁର ଯାତ୍ରାକୁ ପୂରା କରିଥିବାରୁ ଗର୍ବିତ ବୋଲି କହିଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକମାନଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାର ଏକ ଉତ୍ତମ ବ୍ୟବସ୍ଥା ଉପଲବ୍ଧ ହେବା ଉଚିତ୍‌ । ଯାହାଦ୍ୱାରା ସେମାନେ ସେମାନଙ୍କର ବ୍ୟକ୍ତିଗତ ଏବଂ ସାମୂହିକ ସାମର୍ଥ୍ୟକୁ ରାଷ୍ଟ୍ର ନିର୍ମାଣରେ ନିୟୋଜିତ କରିପାରିବେ ବୋଲି ସେ କହିଥିଲେ ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ କହିଛନ୍ତି, ବକେୟା ମାମଲା ହ୍ରାସ ସଂକ୍ରାନ୍ତ କମିଟି ମାମଲା ପରିଚାଳନା ଜରିଆରେ ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଚାରାଧୀନ ମାମଲାର ସମାଧାନ ପାଇଁ ଅନ୍ୟ କେତେକ ରଣନୀତି ମଧ୍ୟରେ ପ୍ରାକ୍‌ ମାମଲା ବିବାଦ ସମାଧାନ ଅନ୍ତର୍ଭୁକ୍ତ ।

ପ୍ରଧାନ ବିଚାରପତି କହିଛନ୍ତି, ସୁପି୍ରମ୍‌କୋର୍ଟ ନିକଟର ତାଙ୍କର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶେଷ କରିଛନ୍ତି, ଯେଉଁଥିରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପ୍ରାୟ ଏକ ହଜାର ମାମଲାର ଆପୋଷ ସମାଧାନ ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ।

Share