ନାଲ୍‌କୋ ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ

ବଅଁରପାଳ,୩୦ା୬(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଷ୍ଟକୟାର୍ଡରେ ବର୍ଷା ପାଣି ପଶିଯିବାରୁ କୋଇଲା ଫିଡିଂରେ ସମସ୍ୟା ହେଉଥିବା ଓ ବଏଲର ଷ୍ଟାର୍ଟ ପାଇଁ ଆବଶ୍ୟକ ପଡ଼ୁଥିବା ହେଭି ଫୁଏଲ ଅଏଲ (ଏଚ୍‌ଏଫ୍‌ଓ) ଏବଂ ଲାଇଟ୍‌ ଡିଜେଲ ଅଏଲ (ଏଲ୍‌ଡିଓ) ଆବଶ୍ୟକ ପରିମାଣର ନ ଥିବାରୁ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୨ଟି ୟୁନିଟ୍‌ ବନ୍ଦ ରହିଛି। ଫଳରେ ପ୍ଲାଣ୍ଟରୁ ଦୈନିକ ୨୪୦ ମେଗାଓ୍ବାଟ୍‌ କମ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି।
ପ୍ରକାଶ ଯେ, ନାଲ୍‌କୋ ସିପିପିରେ ୧୦ଟି ୟୁନିଟ୍‌ ରହିଛି। ପ୍ରତି ୟୁନିଟ୍‌ରୁ ଦୈନିକ ୧୨୦ ମେଗାଓ୍ବାଟ୍‌ ଲେଖାଏ ମୋଟ୍‌ ୧୨ଶହ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ପ୍ଲାଣ୍ଟରୁ ଉତ୍ପାଦନ ହୋଇଥାଏ। କିନ୍ତୁ ପ୍ଲାଣ୍ଟର କୋଇଲା ଷ୍ଟକୟାର୍ଡରେ ବର୍ଷା ପାଣି ପଶିବା ଯୋଗୁ କୋଇଲା ଠିକ୍‌ ଭାବେ ବଙ୍କରରେ ଫିଡିଂ ହୋଇପାରୁନାହିଁ। ସେହିପରି ବଏଲର ଷ୍ଟାର୍ଟ ପାଇଁ ଆବଶ୍ୟକ ଏଚ୍‌ଏଫ୍‌ଓ ଏବଂ ଏଲ୍‌ଡିଓର ପରିମାଣ ମଧ୍ୟ ଆବଶ୍ୟକତାଠାରୁ କମ୍‌ ରହିଛି। ଏସବୁ କାରଣରୁ ସିପିପିର ୨ଟି ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଫଳରେ ଏବେ ଦୈନିକ ୮ଟି ୟୁନିଟ୍‌ରୁ ୯୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁଛି। ତେଲ ସମସ୍ୟାର ସମାଧାନ ପାଇଁ ନାଲ୍‌କୋ କର୍ତ୍ତୃପକ୍ଷ ସ୍ମେଲଟର ପ୍ଲାଣ୍ଟରୁ ଟ୍ୟାଙ୍କର ଯୋଗେ ତେଲ ଆଣିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ଉପସଭାପତି ପ୍ରଣବ ଜେନା କହିଛନ୍ତି, ନାଲ୍‌କୋରେ କୋଇଲା ପରେ ତେଲ ସମସ୍ୟା ଦେଖାଦେଇଛି। ତେଲ ଅଭାବ ଯୋଗୁ ବଏଲର ଷ୍ଟାଟିଂ କରିବାରେ ଅସୁବିଧା ହେଉଛି। ନାଲ୍‌କୋ ଏମ୍ପ୍ଲୋୟିଜ ସଂଘ ସଭାପତି ନିର୍ମଳ ସାମଲ କହିଛନ୍ତି, ସିପିସିରେ କୋଇଲା ସମସ୍ୟା ସାଙ୍ଗକୁ ତେଲର ଅଭାବ ଦେଖାଦେଇଛି। ଏହାର କୁ ପ୍ରଭାବ ସ୍ମେଲଟର ଉପରେ ପଡ଼ୁଛି। ପଟ୍‌ଲାଇନ ଯେତିକି କିଲୋ ଆମ୍ପିୟରରେ ଚାଲିବା କଥା ତାହା ହେଉନାହିଁ। ତେଣୁ ଉତ୍ପାଦନ ହ୍ରାସ ପାଉଛି। ନାଲ୍‌କୋ ସିପିସି ଡିଜିଏମ୍‌ ସୁନୀଲ ମହାପାତ୍ର କହିଛନ୍ତି, ଷ୍ଟକୟାର୍ଡରେ ପାଣି ପଶିଯିବା ଯୋଗୁ ଠିକ୍‌ ଭାବେ କୋଇଲା ଫିଡିଂ ହୋଇପାରୁନାହିଁ। ତେଣୁ ସମସ୍ୟା ଉପୁଜିଛି। ଏଥିସହ ତେଲର ଅଭାବ ରହିଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ।