ମହାକାଳପଡ଼ା, ୯ା୪(ଡି.ଏନ.ଏ.): କେନ୍ଦ୍ରାପଡା ଓ ଜଗତ୍ସିଂହପୁର ଜିଲାର ପାରାଦୀପ ମଧ୍ୟଭାଗରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଛି। ମହାକାଳପଡା ବ୍ଲକର ରାମନଗର ଓ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସଂଲଗ୍ନ ପ୍ରବାହିତ ହୋଇଥିବା ମହାନଦୀ ବଙ୍ଗୋସାଗରର ମୁହାଣରେ ମିଶ୍ରଣ ହୋଇଛି। ହେଲେ ମୁହାଣ ମୁହଁ ଅଧ କିମି ଦୂରଠାରୁ ଦଶ କିମି ଦୂର ପର୍ଯ୍ୟନ୍ତ ବାଲି ଚର ବୃଦ୍ଧି ପାଉଛି। ଫଳରେ ସାମୁଦ୍ରିକ ଲୁଣା ଜଳ ଉପର ମୁଣ୍ଡକୁ ପ୍ରବାହିତ ହେଉଛି। ଅପରପକ୍ଷରେ ମହାନଦୀର ଉପର ମୁଣ୍ଡରୁ ମଧୁର ଜଳ ପ୍ରବାହିତ ହ୍ରାସ ପାଉଛି। ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଚାଷୀମାନେ ବିଭିନ୍ନ ସମସ୍ୟାରେ ପଡିଥିବା ଅଭିଯୋଗ କରିଛନ୍ତି।
ଦିନ ଥିଲା ମହାନଦୀ ମୁହାଣର ୨୦ କିମି ଭୂତମୁଣ୍ଡାଇ ସେତୁ ପର୍ଯ୍ୟନ୍ତ ପ୍ରଚୁର ପରିମାଣରେ ମାଛ ମାରି ମତ୍ସ୍ୟଜୀବୀମାନେ ଜୀବିକା ନିର୍ବାହ କରୁଥିଲେ। ଲବଣାକ୍ତ ଜଳ ବଢିବା ଓ ମଧୁର ଜଳ ପ୍ରବାହିତ ହ୍ରାସ ପାଇବା ଯୋଗୁ ମାଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ଦିନକୁ ୨ରୁ ୩ ହଜାର ଟଙ୍କାର ମାଛ ମାରୁଥିଲେ। ଅଦ୍ୟାବଧି ଦିନକୁ ମଜୁରି ଉଠିବା କଷ୍ଟ ହେଉଛି ବୋଲି ବହାକୁଦ ଗ୍ରାମର ମତ୍ସ୍ୟଜୀବୀ ଟୁମୁଣି ବେହେରା କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ବରଜ ବାହାକୁଦ, ଆଖଡ଼ାସାହି ସମେତ ଅନ୍ୟ ଅଞ୍ଚଳର ଚାଷୀମାନେ ଏହି ମହାନଦୀ ମଧୁର ଜଳରେ ବର୍ଷ ସାରା ଖରିଫ୍ ଫସଲ, ଖରଦିନିଆ ଡାଳୁଆ ଧାନ, ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ବ୍ଲକର ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ଓ ଆଖଡ଼ାସାହି ନିକଟରେ ମହାନଦୀ ମଝି ଅଂଶରେ ବଡ ବଡ ବଣ ବୁଦା, ବାଲି ପଙ୍କ ଜମିବା ସହ ପଠା ସୃଷ୍ଟିହୋଇଛି। ଏଥିଯୋଗୁ ଚିରସ୍ରୋତା ମହାନଦୀ ଜଳ ପ୍ରବାହିତ ପଥ ଅବରୋଧ ହେବାରେ ଲାଗିଛି। ପାରାଦୀପ ଶିଳ୍ପ କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁର ଜଳ ମହାନଦୀକୁ ପ୍ରଦୂଷିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷରେ ମହାନଦୀରେ ଅପ୍ରାକୃତିକ ଭାବେ ପଠା ସୃଷ୍ଟି ହେବା ଯୋଗୁ ତା’ର ପୂର୍ବ ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି। ଯେଉଁ ସ୍ଥାନରେ ପୂର୍ବରୁ ଦେଶୀ ବିଦେଶୀ ପକ୍ଷୀମାନଙ୍କର ଜଳ କ୍ରୀଡ଼ାର ଭୂସ୍ବର୍ଗ ପାଲଟିଥିଲା ଓ କୋଳାହଳ ରାବ ଶୁଭୁଥିଲା ତାହା ଏବେ ନିସ୍ତବ୍ଧ ଓ ବାଲିର ଠିକଣା ପାଲଟିଛି। ମହାନଦୀ ଗତିପଥର ଠିକଣା ବଦଳି ଯାଇଛି ବୋଲି ବୁଦ୍ଧିଜୀବୀ ଓ ପକ୍ଷୀପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି।