ବନ୍ଧୁକ ମୁନରେ ଗଣଭୋଟ

ଜାପୋରିଝିଆ, ୨୯ା୯: ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଦକ୍ଷିଣରେ ଥିବା ଖେର୍‌ସନ୍‌ ଏବଂ ଜାପୋରିଝିଆରେ ରୁଷିଆ ବଳପୂର୍ବକ ଗଣଭୋଟ କରାଇଛି। ମଙ୍ଗଳବାର ଶେଷ ହୋଇଥିବା ଏହି ଗଣମତଦାନରେ ରୁଷିଆର ବିଜୟ ହୋଇଥିବା କ୍ରେମଲିନ୍‌ ଦାବି କରିଛି। ସେଠାକାର ବାସିନ୍ଦା ରୁଷିଆ ସହ ମିଶିବା ସପକ୍ଷରେ ଭୋଟ ଦେଇଥିବା ମସ୍କୋ କହିବା ସହ ଉକ୍ତ ଅଞ୍ଚଳରେ ନିଜ ଅଧିକାରୀଙ୍କୁ ନିଯୁକ୍ତ କରିଛି। ବନ୍ଧୁକମୁନରେ ଜବରଦସ୍ତି ଭୋଟିଂ କରାଇ ରୁଷିଆ ମିଛ ଫଳାଫଳ ଘୋଷଣା କରିଥିବା ୟୁକ୍ରେନ୍‌ କହିଛି। ଗଣଭୋଟକୁ ୟୁରୋପୀୟ ଦେଶଗୁଡ଼ିକ ନିନ୍ଦା କରିଛନ୍ତି। କ୍ରମାଗତ ମାନବାଧିକାର ଉଲ୍ଲଂଘନ କରିଆସୁଥିବା ରୁଷିଆ ଏପରି କରି ୟୁକ୍ରେନ୍‌ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ଅସମ୍ମାନିତ କରିଛି ବୋଲି ୟୁରୋପୀୟ ସଂଘର ବିଦେଶନୀତି ମୁଖ୍ୟ ଜୋସେପ୍‌ ବୋରେଲ୍‌ କହିଛନ୍ତି। ୟୁକ୍ରେନ୍‌, ଏହାର ସହଯୋଗୀ ରାଷ୍ଟ୍ର ଏବଂ ପାଶ୍ଚାତ୍ୟ ଦେଶ କେବେ ତାହା ସ୍ବୀକାର କରିବେ ନାହିଁ ବୋଲି କହିଛନ୍ତି।

ଶରଣାର୍ଥୀ ହୋଇଥିବା ୟୁକ୍ରେନ୍‌ ବାସିନ୍ଦାଙ୍କୁ ମଧ୍ୟ ଏହି ଗଣଭୋଟରେ ସାମିଲ କରାଯାଇଥିଲା। ୨୦୧୪ରୁ ରୁଷିଆ ଦଖଲରେ ଥିବା ୟୁକ୍ରେନ୍‌ ଉପଦ୍ୱୀପ କ୍ରିମିଆର ବାସିନ୍ଦାଙ୍କୁ ମତଦାନ କରିବାକୁ କୁହାଯାଇଥିଲା। ଏହି ପୂର୍ବ ୟୁରୋପୀୟ ଦେଶର ପ୍ରାୟ ୧୫% ଅଞ୍ଚଳରେ ୪୦ ଲକ୍ଷ ଲୋକଙ୍କୁ ଗଣଭୋଟ ପାଇଁ ରୁଷିଆ କହିଥିଲା। ତେବେ ଗଣଭୋଟର ସ୍ବଚ୍ଛତା ଏବଂ ସତ୍ୟତା ପରଖିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ କେହି ତଦାରଖ କରି ନ ଥିଲେ। ରୁଷିଆ ନିଜ ହିସାବରେ ଏସବୁ ଆୟୋଜନ କରିବା ସହ ଏକପାଖିଆ ଭାବେ ଫଳାଫଳ ଘୋଷଣା କରିଛି। ରୁଷିଆ ସପକ୍ଷବାଦୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଜାପୋରିଝିଆରେ ୯୩.୧୧% ମସ୍କୋ ସହ ମିଶିବା ସପକ୍ଷରେ ମତଦେଇଛନ୍ତି। ସେହିପରି ଖେରସନ୍‌ରେ ୮୭.୦୫%, ଲୁହାନ୍‌ସ୍କରେ ୯୮.୪୨% ଏବଂ ଡୋନେସ୍କରେ ୯.୨୩% ରୁଷିଆରେ ଯୋଗଦେବାକୁ ଭୋଟ ଦେଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। ଖୁବ୍‌ଶୀଘ୍ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହି ଅଞ୍ଚଳଗୁଡ଼ିକୁ ରୁଷିଆର ଅଂଶ ଘୋଷଣା କରିପାରନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ମସ୍କୋ ଦଖଲକୁ ଯିବା ପରେ ସେଠାରୁ ୟୁକ୍ରେନ୍‌ର ଆଉ କିଛି ଅଂଶ କବ୍‌ଜା କରିବା ପାଇଁ ରୁଷିଆ ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ଡୋନେସ୍କରେ ନିଯୁକ୍ତ ରୁଷିଆ ସପକ୍ଷବାଦୀ ଡେନିସ୍‌ ପୁଶିଲିନ୍‌ ମସ୍କୋ ଯାଇ ବିଧିବଦ୍ଧ ଭାବେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବେ ବୋଲି କହିଛନ୍ତି। ଡୋନେସ୍କର ପ୍ରାୟ ୪୦% ଅଞ୍ଚଳ ଏବେ ବି ୟୁକ୍ରେନ୍‌ ଅଧୀନରେ ରହିଛି। ଶୀଘ୍ର ସମ୍ପୂର୍ଣ୍ଣ ଡୋନେସ୍କକୁ ମସ୍କୋ ନିୟନ୍ତ୍ରଣକୁ ଅଣାଯିବ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି।

Share