Categories: ଜାତୀୟ

ପରିବେଶ ଶିକ୍ଷାରେ ସଂସ୍କାର ଅଣାଯାଉ

ନୂଆଦିଲ୍ଲୀ, ୧।୧୧(ପି.ଟି.): ବ୍ରିଟେନର ଗ୍ଲାସ୍‌ଗୋଠାରେ ୨୬ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌୨୬) ରବିବାର ଆରମ୍ଭ ହୋଇଛି। ଏହା ପୂର୍ବରୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳିତ ପରିବେଶଗତ ଶିକ୍ଷାରେ ସଂସ୍କାର ଆଣିବା ଲାଗି ଭାରତର ଶିକ୍ଷାବିତ୍‌ ଓ ପ୍ରଧାନଶିକ୍ଷକମାନେ ଦାବି ଜଣାଇଛନ୍ତି। ସେମାନଙ୍କ ମତରେ ପରିବେଶ ଉପରେ ଯେଉଁ ଶିକ୍ଷା ଦିଆଯାଉଛି, ତାହା କେବଳ ‘ଆର୍ଥ ଡେ’ କିମ୍ବା ‘ଏନ୍‌ଭାଇରନମେଣ୍ଟ ଡେ’ ସ୍ଲୋଗାନରେ ସୀମିତ। ପିଲାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେଲେ ଅଧିକ ବ୍ୟବହାରିକ ଆଧାରିତ ଦୃଷ୍ଟିକୋଣ ରହିବା ଆବଶ୍ୟକ। ପରିବେଶ ଶିକ୍ଷା କାଗଜ କଲମରେ ସୀମିତ ନ ରହି ଏହା ବାହାରେ ହେବା ଦରକାର। ଜଳବାୟୁ ପରିବର୍ତ୍ତନ ଓ ତତ୍‌ଜନିତ ବିପଦ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଦେଇ ସେମାନଙ୍କୁ ସଚେତନ କରିବାକୁ ହେବ। ଛାତ୍ରୀଛାତ୍ର ଭବିଷ୍ୟତର ନୀତି ନିର୍ଦ୍ଧାରକ ହୋଇଥିବାରୁ ସେମାନଙ୍କୁ ଦୈନନ୍ଦିନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଜଣାଇ ଦାୟିତ୍ୱସମ୍ପନ୍ନ ବାସିନ୍ଦାରେ ପରିଣତ କରିବାକୁ ହେବ। ପଲିଥିନ ପରିବର୍ତ୍ତେ କାଗଜ କିମ୍ବା ଝୋଟ ବ୍ୟାଗ୍‌ ନେଇ ବଜାର କରିବାକୁ ଗଲେ ସେମାନଙ୍କ ଉପରେ ପରିବେଶ ସମ୍ପର୍କରେ ସକାରାତ୍ମକ ପ୍ରଭାବ ପଡ଼ିପାରିବ ବୋଲି ଡିପିଏସ୍‌-ଆର୍‌ଏନ୍‌ଇ ଗାଜିଆବାଦର ପ୍ରିନ୍ସିପାଲ ପଲ୍ଲବୀ ଉପାଧ୍ୟାୟ କହିଛନ୍ତି।

Share