ଭାରିଯାନରେ ଲଘୁଖଣିଜ ପଦାର୍ଥ ପରିବହନ ମନା

କଟକ ଅଫିସ, ୨୦।୧୨:ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜାନୁୟାରୀ ୧୧ରେ ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଦର୍ଶକ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ପ୍ରଖ୍ୟାତ ବ୍ୟକ୍ତିତ୍ୱ, କଳାକାର ଓ ସଙ୍ଗଠକମାନେ ଯୋଗଦେବେ। ସେମାନଙ୍କ ସୁରକ୍ଷା ଓ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଜିଲାପାଳ ତଥା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଭବାନୀ ଶଙ୍କର ଚୟନୀ ମୋଟରଯାନ ଆଇନ ଧାରା ୧୧୫ ଏବଂ ମୋଟରଯାନ ନିୟମର ଧାରା ୧୭୩ ଅନୁଯାୟୀ ଭାରିଯାନ ଚଳାଚଳ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ନିଷେଧାଦେଶ ଆସନ୍ତା ଜାନୁୟାରୀ ୧ ତାରିଖ ରାତି ୧୨ଟରୁ ୧୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକ ସହର ସୀମା ଏବଂ କଟକଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବଳବତ୍ତର ରହିବ। ଉକ୍ତ ସମୟ ମଧ୍ୟରେ ଟ୍ରକ୍‌, ଟିପ୍ପର, ଟ୍ରାକ୍ଟର-ଟ୍ରେଲର ଆଦି ଭାରିଯାନ ମାଧ୍ୟମରେ ଲଘୁଖଣିଜ ପଦାର୍ଥ ବାଲି, ଚିପ୍ସ ଓ ନିର୍ମାଣ ପଦାର୍ଥ ପରିବହନ କରାଯାଇପାରିବ ନାହିଁ। ତେବେ ଅତ୍ୟାବଶ୍ୟକ ଓ ଆପଦକାଳୀନ କାର୍ଯ୍ୟରେ ନିୟୋଜିତ ଟ୍ରକ୍‌, ଟିପ୍ପର, ଟ୍ରାକ୍ଟର ଓ ଟ୍ରେଲର ଏହି କଟକଣା ଅନ୍ତର୍ଭୁକ୍ତ ହେବ ନାହିଁ। ମାତ୍ର ଏଥିନିମନ୍ତେ ଜିଲାପାଳ କିମ୍ବା କମିଶନରେଟ ପୋଲିସର ଉପଆୟୁକ୍ତଙ୍କଠାରୁ ଏକ ପ୍ରମାଣପତ୍ର ଆବଶ୍ୟକ ହେବ। ଏ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।

Share