କ୍ୟୁଆର୍‌ କୋଡ୍‌ ନ ଥିଲେ ଖାଦ୍ୟ ସାମଗ୍ରୀ ବିକ୍ରି ମନା

କଟକ ଅଫିସ, ୨୯ା୧୦: ବିଭିନ୍ନ ପ୍ଲାଷ୍ଟିକ, ଟିଣ ଓ ମାଟିରେ ମିଶୁ ନ ଥିବା ଖାଦ୍ୟ ସାମଗ୍ରୀ ପ୍ୟାକିଂରେ କ୍ୟୁଆର୍‌ କୋର୍ଡ ଲାଗିବ। ଜନସାଧାରଣ ଉକ୍ତ ସାମଗ୍ରୀକୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ୫ ଟଙ୍କା ଦେଇ କିଣିବେ। ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ କାଉଣ୍ଟରରେ ଫେରାଇଲେ ସେମାନେ ୫ ଟଙ୍କା ଫେରିପାରିବେ। ଏଥିପାଇଁ ବାଲିଯାତ୍ରା ପଡିଆରେ ୨୧ଟି ପ୍ଲାଷ୍ଟିକ୍‌ ବୋତଲ ଓ ଜରି ସଂଗ୍ରହ କେନ୍ଦ୍ର ଖୋଲାଯିବ। କ୍ୟୁଆର୍‌ କୋଡ୍‌ ନ ଥିଲେ ପ୍ଲାଷ୍ଟିକରେ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍‌ ବା ପାଣି ବୋତଲ ବିକ୍ରି କରାଯାଇପାରିବ ନାହିଁ। ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ କରାଯିବ। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌କୁ ଏକ ସଙ୍ଗଠିତ ବ୍ୟବସ୍ଥା ମାଧ୍ୟମରେ ନିୟନ୍ତ୍ରଣ କରାଯିବା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଅଭିନବ ଯୋଜନା କରାଯାଇଛି। ଡିଜିଟାଲ ଡିପୋଜିଟ୍‌ ରିଫଣ୍ଡ୍‌ ସିଷ୍ଟମ୍‌ ଜରିଆରେ ଏହି କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି। ବିଶେଷକରି ବାଲିଯାତ୍ରା ପଡିଆରେ ପ୍ଲାଷ୍ଟିକ୍‌ ବୋତଲ ଓ ଜରି ବ୍ୟବହାରକୁ ଉପରୋକ୍ତ ବ୍ୟବସ୍ଥା ମାଧ୍ୟରେ ନିୟନ୍ତ୍ରଣ କରାଯିବ। ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ପାଇଁ ଶୁକ୍ରବାର ଅପରାହ୍ନରେ ସିଏମ୍‌ସି ସମ୍ମିଳନୀ କକ୍ଷରେ ବ୍ୟବସାୟୀ (ଡିଲର/ଡିଷ୍ଟ୍ରବ୍ୟୁଟର)ମାନଙ୍କ ସହ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପରୋକ୍ତ ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇ ସମ୍ପୂର୍ଣ୍ଣ ସହଯୋଗ କାମନା କରାଯାଇଥିଲା। ବୈଠକରେ ସିଏମ୍‌ସି କମିଶନର ନିଖିଲ ପଓ୍ବନ କଲ୍ୟାଣଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ବାଲିଯାତ୍ରାରେ ଡିଲରମାନେ ବ୍ୟବସାୟୀଙ୍କୁ ସାମଗ୍ରୀ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବାଲିଯାତ୍ରା ଗେଟ୍‌ ନିକଟରେ ଏକ କାଉଣ୍ଟର କରାଯିବ। ଏଠାରୁ ବ୍ୟବସାୟୀମାନେ ୫ ଟଙ୍କା ଲେଖାଏଁ ଦେଇ କ୍ୟୁଆର୍‌ କୋଡ୍‌ କିଣିବେ। ତାହାକୁ ବିକ୍ରି କରିବାକୁ ଥିବା ସାମାଗ୍ରୀରେ ଲଗାଇବେ। ସେମାନେ ସାମଗ୍ରୀ ବିକ୍ରି କଲାବେଳେ ନିର୍ଦ୍ଧାରିତ ଦରଠାରୁ ଅଧିକ ୫ ଟଙ୍କା ଲେଖାଏ ଗ୍ରାହକଙ୍କଠାରୁ ରଖିବେ। ଯେଉଁ ବ୍ୟବସାୟୀ ସିଏମ୍‌ସି ନିକଟରୁ ସର୍ବାଧିକ କ୍ୟୁଆର କୋଡ୍‌ କିଣିବେ ସେମାନଙ୍କୁ ପୁରସ୍କୃତ କରାଯିବ। ସର୍ବାଧିକ ୬ଜଣ ବ୍ୟବସାୟୀଙ୍କୁ ଲକି ଡ୍ର ମାଧ୍ୟମରେ ସିଏମ୍‌ସି ତରଫରୁ ପୁରସ୍କାର ପ୍ରଦାନ କରାଯିବ। ୫ ଲକ୍ଷ କ୍ୟୁଆର୍‌ କିଣିଥିବା ବ୍ୟବସାୟୀ ବା ଡିଷ୍ଟ୍ରିବ୍ୟୁଟରଙ୍କ ମଧ୍ୟରୁ ଜଣଙ୍କୁ ପ୍ରଥମ ପୁରସ୍କାର ବାବଦରେ ୩୧ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ୨ ଲକ୍ଷ କ୍ୟୁଆର୍‌ କିଣିବା ଉପରେ ଜଣଙ୍କୁ ୨୧ ହଜାର ଟଙ୍କା ଏବଂ ୧ ଲକ୍ଷ କ୍ୟୁଆର୍‌ କିଣିବା ଉପରେ ୪ଜଣଙ୍କୁ ୧୨ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ଦିଆଯିବ। ଆସନ୍ତା ନଭେମ୍ବର ୧୬ରେ ସେମାନଙ୍କ ନାମ ଘୋଷଣା କରାଯିବ। ଅପରପକ୍ଷେ ବାଲିଯାତ୍ରାରେ ଅଳିଆ ପଡିରହିବ ନାହିଁ। ସଫେଇ କର୍ମଚାରୀମାନେ ଅଳିଆ ସଂଗ୍ରହ କରି ସିଧାସଳଖ ଅଳିଆବୁହା ଗାଡିରେ ପକାଇବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Share