୧୧ଟାରୁ ୩ଟା ଯାଏ ବାହାରେ କାମ କରିବା ମନା, ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର,୧୫।୪: ଖରାରେ ସିଝୁଛି ଓଡ଼ିଶା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ପ୍ରବଳ ଖରାରେ କାମ ନ କରିବାକୁ କଡ଼ା ଭାବେ ବାରଣ କରାଯାଇଛି। ଏ ନେଇ ସବୁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ, ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ ନ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଅବମାନନା ହେଲେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି। ଯାହା ଫଳରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲାରେ ୪୩ ରୁ ୪୫ଡିଗ୍ରୀ ଯାଏ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।

Share