Advertisement

ମା’ଙ୍କ ମନ୍ଦିରକୁ ଏକାଠି ଯିବା ମନା

ମନ୍ଦିର ହେଉଛି ଏକ ଧାର୍ମିକ ଅନୁଷ୍ଠାନ। ଏଠାରେ ପୂଜାପାଠ କଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ସେଥିପାଇଁ ଆମ ଦେଶରେ ପ୍ରତି ପୂଜା ପାର୍ବଣରେ ମନ୍ଦିରରେ ଗହଳି ଚହଳି ଲାଗିଥାଏ। ହେଲେ
ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ। ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ। କିନ୍ତୁ ଏମିତି ଏକ ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ଦର୍ଶନ କରିପାରିବେ ନାହିଁ। ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ କଥାଟା ସତ। ଏହା ହେଉଛି ମା’ ଦୁର୍ଗାଙ୍କ ମନ୍ଦିର। ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ମା’ଙ୍କୁ ଦର୍ଶନ କରିପାରିବେ ନାହିଁ। ଏହା ପଛରେ ଭଗବାନ ଶିବଙ୍କ ସହ ରହସ୍ୟ ଯୋଡ଼ି ହୋଇରହିଛି। ହିମାଚଳ ପ୍ରଦେଶ ସିମଲାର ରାମପୁରଠାରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଆନ୍ତି ମା’ ଦୁର୍ଗା। କିନ୍ତୁ ଏଠାକୁ ସ୍ବାମୀ-ସ୍ତ୍ରୀ ଏକାଠି ଯାଇ ପୂଜା କରିବା ପାଇଁ ବାରଣ ରହିଛି। କୁହାଯାଏ, ଭଗବାନ ଶିବ ତାଙ୍କର ଦୁଇପୁତ୍ର ଗଣେଶ ଏବଂ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ପରିକ୍ରମା କରବାକୁ କହିଲେ। କାର୍ତ୍ତିକେୟ ତାଙ୍କ ବାହନ ମୟୂର ପିଠିରେ ବସି ବ୍ରହ୍ମାଣ୍ଡ ଭ୍ରମଣରେ ବାହାରିଗଲେ। କିନ୍ତୁ ଗଣେଶ ମାତାପିତାଙ୍କ ଚାରିପାଖରେ ବୁଲି କହିଲେ ବ୍ରହ୍ମାଣ୍ଡ ମାତାପିତାଙ୍କ ଚରଣରେ। ଅନ୍ୟପକ୍ଷରେ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ବୁଲି ଆସିବାକୁ ଦୀର୍ଘଦିନ ଲାଗିଲା। ଏହା ମଧ୍ୟରେ ଗଣେଶଙ୍କ ବିବାହ ହୋଇସାରିଥିଲା। ଏଥିରେ କାର୍ତ୍ତିକେୟ ରାଗିଗଲେ। କାରଣ ଗଣେଶ କାର୍ତ୍ତିକଙ୍କଠାରୁ ସାନ ଥିଲେ। ସେ କେବେ ବିବାହ କରିବେ ନାହିଁ ବୋଲି ସଂକଳ୍ପ ନେଲେ। ଏଥିରେ ମାତା ପାର୍ବତୀ କ୍ରୋଧିତ ହୋଇଗଲେ। କହିଲେ, ଯେଉଁ ସ୍ବାମୀ-ସ୍ତ୍ରୀ ସାଥୀ ହୋଇ ତାଙ୍କର ମନ୍ଦିର ଦର୍ଶନ କରିବେ ସେ ଅଲଗା ହୋଇଯିବେ। ସେହିଦିନଠାରୁ ଏହି ମନ୍ଦିରକୁ କୌଣସି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବାକୁ ଯାଆନ୍ତି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share