Categories: ଜାତୀୟ

କ୍ଷତିପୂରଣ ନେବାକୁ ମନା କଲେ ମୃତ ମହିଳା ଡାକ୍ତରଙ୍କ ବାପା, କହିଲେ ଟଙ୍କା ନେଲେ ମୋ’ ଝିଅର…

କୋଲକାତା,୧୬ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରାଯିବା ପରେ ସମଗ୍ର ଦେଶରେ ଉତ୍ତେଜନା ଲାଗି ରହିଛି।

ଦୋଷୀମାନଙ୍କୁ ଯଥାଶୀଘ୍ର ଦଣ୍ଡିତ କରାଯିବା ପାଇଁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ସମୟରେ ବଳାତ୍କାର-ହତ୍ୟା ମାମଲାରେ ମୃତ୍ୟୁ ଘଟିଥିବା କରିଥିବା ଡାକ୍ତରଙ୍କ ପିତା କ୍ଷତିପୂରଣ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

ମୃତା ଡାକ୍ତରଙ୍କ ବାପା କହିଛନ୍ତି, ସେ ଏହି କ୍ଷତିପୂରଣ ନେଇ ପାରିବେ ନାହିଁ। କାରଣ ଏହା ତାଙ୍କ ମୃତ ଝିଅ ପ୍ରତି କ୍ଷତି ପହଞ୍ଚାଇବ। ସେ କହିଛନ୍ତି, କର୍ତ୍ତୃପକ୍ଷଙ୍କଠାରୁ ସେ କେବଳ ନ୍ୟାୟ ଚାହୁଁଛନ୍ତି।

ଅନ୍ୟପକ୍ଷରେ ଏହି ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆ) ଗୁରୁବାର ମୃତକଙ୍କ ପରିବାରକୁ ଭେଟିଛି। ଯାହା ଆଲୋଚନା କରାଯାଇଛି ତାହା ପ୍ରକାଶ କରିବାକୁ ପୀଡ଼ିତାଙ୍କ ବାପା ମନା କରି ଦେଇଛନ୍ତି। ତେବେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସିବିଆଇ ପରିବାର ଲୋକଙ୍କୁ ଆଶ୍ୱାସନା ଦିଆଯାଇଥିବା ସେ କହିଛନ୍ତି।

ଶୁକ୍ରବାର ସକାଳେ କୋଲକାତା ପୋଲିସ କହିଛି, ଡାକ୍ତରଖାନା ପରିସରରେ ଏହି ଘଟଣାରେ ସମ୍ପୃକ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୯ରେ କୋଲକାତାର ଆର୍‌.ଜି କର ମେଡିକାଲ କଲେଜରେ ଡ୍ୟୁଟିରେ ଥିବାବେଳେ ଜଣେ ସ୍ନାତକୋତ୍ତର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା, ଯେଉଁ କାରଣରୁ ସାରା ଦେଶରେ ଡାକ୍ତରମାନେ ଧର୍ମଘଟ ଓ ବିରୋଧ ପ୍ରଦର୍ଶନ କରୁଛନ୍ତି।

Share