ହିଜାବ ବିବାଦରେ ଏଣ୍ଟ୍ରି କଲେ ମଲାଲା: କଲେ ଏମିତି ଅପିଲ

ଲଣ୍ଡନ,୯।୨:କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ସାରା ବିଶ୍ୱରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ସମୟରେ ଘଟିଥିବା ହିଂସା ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଟୁଇଟରରେ ଲେଖିଛନ୍ତି,ଝିଅମାନଙ୍କୁ ହିଜାବରେ ସ୍କୁଲ ଯିବା ବନ୍ଦ କରିବା ଭୟଙ୍କର ଅଟେ।
ଆମକୁ ଅଧ୍ୟୟନ ଏବଂ ହିଜାବ ମଧ୍ୟରେ ଗୋଟିଏ ବାଛିବାକୁ ବାଧ୍ୟ କରାଯାଉଛି। ଅଧିକ କିମ୍ବା କମ ପିନ୍ଧିବା ମହିଳାଙ୍କ ପ୍ରତି ଏକ ମନୋଭାବ ସୃଷ୍ଟି କରାଯାଉଛି। ଭାରତୀୟ ନେତାମାନେ ମୁସଲମାନ ମହିଳାମାନଙ୍କୁ ମାର୍ଜିତ କରିବା ବନ୍ଦ ହେବା ଉଚିତ୍‌।
ସୂଚନାଯୋଗ୍ୟ, କର୍ନାଟକରେ ହିଜାବକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗୀନ ହେଉଛି। ଗୋଟିଏ ଗୋଷ୍ଠୀ ହିଜାବ ପିନ୍ଧି କଲେଜ ଆସିବାକୁ ଜିଦ ଧରିଥିବା ବେଳେ ଅନ୍ୟ ଏକ ଗୋଷ୍ଟୀର ଛାତ୍ରୀଛାତ୍ରମାନେ ଗେରୁଆ ସ୍କାର୍ପ ପନ୍ଧି ଆସିବାକୁ ଦାବି କରିଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଟୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ କର୍ନାଟକର ପିୟୁ ସରକାରୀ ମହିଳା ମହାବିଦ୍ୟାଳୟରେ ହିଜାବ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଠି ୬ ଜଣ ଛାତ୍ରୀ ହିଜାବ ପକାଇ ଆସିଥିବା ବେଳେ ସେମାନଙ୍କୁ କ୍ଲାସ ରୁମରେ ପ୍ରତିବନ୍ଧକ ଲାଗାଯାଇଥିଲା। କଲେଜ ହିଜାବ ପ୍ରତିବନ୍ଧକକୁ ନେଇ ଜଣେ ଯୁବତୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ହାଇକୋର୍ଟରେ ଏହାର ଶୁଣାଣି ହୋଇଥିଲା। କୋର୍ଟରେ ସରକାରଙ୍କ ଆଡଭୋକେଟ ଜେନେରାଲ ଏବଂ ହିଜାବ ପିନ୍ଧି ସ୍କୁଲ-କଲେଜରେ ଆଡମିଶନ ଚାହୁଁଥିବା ଛାତ୍ରୀଙ୍କ ଆଡଭୋକେଟଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ। ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଆଜିର ଶୁଣାଣି ଶେଷ କରିଛନ୍ତି ଏବଂ ଆଜି ଅପରାହ୍ନ ୨.୩୦ରେ ମାମଲାର ପୁଣି ଶୁଣାଣି ହେବ ବୋଲି କହିଛନ୍ତି।
ହିଜାବ ବିବାଦ ମଧ୍ୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ତିନି ଦିନ ପାଇଁ ରାଜ୍ୟର ସମସ୍ତ ହାଇସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ବୋମ୍ମାଇ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଆମେ କର୍ନାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ମୁଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ଛାତ୍ରୀଛାତ୍ରମାନଙ୍କୁ ନିବେଦନ କରୁଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ କୌଣସି ସଂଘର୍ଷ ନ ହେବା ଉଚିତ ବୋଲି ମୁଁ ବିଦ୍ୟାଳୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।

Share