ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉତ୍ତର ଜାମାଇକାର ଲୁସିଆସ୍ଥିତ ଏକ ହସ୍ପିଟାଲରେ ରବିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ର୍ୟୁ ହାଲନେସ୍‌ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ପେରିଙ୍କ ସାଧନା ବଳରେ ରେଗେ ସଙ୍ଗୀତ ସ୍ବତନ୍ତ୍ର ପରିଚୟ ପାଇ ବିଶ୍ୱ ପ୍ରସିଦ୍ଧ ହୋଇଥିଲା। ପେରି ଜାମାଇକାର ଜଣେ ଅସାଧାରଣ ଓ ଶ୍ରେଷ୍ଠ କଳାକାର। କେଇଥ୍‌ ରିଚାଡର୍‌ସ ଏକଦା ତାଙ୍କୁ ସାଲଭାଡର ଡଲି ଅଫ୍‌ ମ୍ୟୁଜିକ୍‌ ଭାବେ ବର୍ଣ୍ଣନା କରିଥିଲେ। ସେ ଥିଲେ ରହସ୍ୟମୟ ଏବଂ ବିଶ୍ୱ ତାଙ୍କର ବାଦ୍ୟଯନ୍ତ୍ର ଥିଲା ବୋଲି କୁହାଯାଏ। ଜଣେ ଶ୍ରେଷ୍ଠ ପ୍ରଯୋଜକ ଓ ଗାୟକ ଭାବେ ସେ ବବ୍‌ ମାର୍ଲି, ଓ୍ବଲେର୍ସ, ଜୁନିୟର ମୁର୍ଭିନ ପ୍ରମୁଖ ବହୁ ଆର୍ଟିଷ୍ଟଙ୍କ ସହ କାର୍ଯ୍ୟ କରିଥିଲେ। ସଙ୍ଗୀତ ସାଙ୍ଗକୁ ଯୁବସୁଲଭ ତଥା ଅବ୍ୟବସ୍ଥିତ ପୋଷାକ ପରିପାଟୀ ପାଇଁ ସେ ଜଣାଶୁଣା ଥିଲେ। ସେ ନିଜ ସମ୍ପର୍କରେ ପୌରାଣିକ କାହାଣୀ କହିବା ସହ ନିଜକୁ ଅନ୍ୟ ଜଗତର ଏଲିଏନ୍‌ ବୋଲି ଦାବି କରୁଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ପେରିଙ୍କ ବିୟୋଗରେ ସଙ୍ଗୀତ ଜଗତ ଜଣେ ରହସ୍ୟମୟ ସ୍ରଷ୍ଟାଙ୍କୁ ହରାଇଲା ବୋଲି ଡିଜେ ଡାଭିଡ୍‌ ରୋଡିଗାନ୍‌ କହିଛନ୍ତି।

Share