Categories: ବାଣିଜ୍ୟ

ଆଞ୍ଚଳିକ ପାସ୍‌ପୋର୍ଟ ସେବା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୨ (ଅଭୟ ଦାଶ): ଓଡ଼ିଶାବାସୀଙ୍କୁ ଉତ୍ତମ ଗ୍ରାହକସେବା ଯୋଗାଇ ଦେବା ଲକ୍ଷ୍ୟରେ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଓଡେଶା ବିଜ୍‌ନେସ ସେଣ୍ଟର(ଓବିସି)ଠାରେ ଆଞ୍ଚଳିକ ପାସ୍‌ପୋର୍ଟ ସେବା କେନ୍ଦ୍ର ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଭୁବନେଶ୍ୱରର ବରିଷ୍ଠ ଆର୍‌ପିଓ ସୁଧାଂଶୁ ଶେଖର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଭୁବନେଶ୍ୱରର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ବହିର୍ବ୍ୟାପାର (ବୈଦେଶିକ ମନ୍ତ୍ରଣାଳୟ) ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଭୁବନେଶ୍ୱର (ଓଡ଼ିଶା), ବର୍ତ୍ତମାନ ରସୁଲଗଡ଼ସ୍ଥିତ ଓଡେଶା ବିଜ୍‌ନେସ ସେଣ୍ଟର(ଓବିସି)ଠାରେ କାର୍ଯ୍ୟକ୍ଷମ ହେଉଛି। ପୂର୍ବରୁ ଉକ୍ତ କାର୍ଯ୍ୟାଳୟ ନୟାପଲ୍ଲୀସ୍ଥିତ ୟୁନିଟ-୮ଠାରେ ଥିଲା। ଏ ସମ୍ପର୍କରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଭୁବନେଶ୍ୱରର ବରିଷ୍ଠ ଆର୍‌ପିଓ ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ଦିନକୁ ଦିନ ଲୋକ (ପାସପୋର୍ଟ ହିତାଧିକାରୀ)ଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ପୁରୁଣା ସ୍ଥାନରେ ନାନା ପ୍ରକାର ସମସ୍ୟା ଦେଖାଦେଲା। ବିଶେଷକରି କାର୍ଯ୍ୟାଳୟ ପରିସର ଛୋଟ ସହିତ ରାଜପଥଠାରୁ ବହୁ ଦୂରରେ ରହିଯାଉଥିବାରୁ ଲୋକମାନେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଉପରୋକ୍ତ ସମସ୍ୟାର ସାମାଧାନ ପାଇଁ ନୂତନ ପରିସର (ସ୍ଥାନ)କୁ ସ୍ଥାନାନ୍ତରଣ ହୋଇଛି। ସେହିଭଳି ଏଠାରେ ଅତ୍ୟାଧୁନିକ ସେବା ଓ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି, ଫଳରେ ହିତାଧିକାରୀମାନେ କମ୍‌ ସମୟରେ ଅନେକ କାମ କରିପାରିବେ। ଏପରିକି ଭିଡ ନିୟନ୍ତ୍ରଣ ସାଙ୍ଗକୁ ଗୁଣାତ୍ମକ ସେବା ଯୋଗାଇ ଦିଆଯିବ ବୋଲି ସେ ମତପ୍ରକାଶ କରିଛନ୍ତି।

Share