ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବାଇକ୍ ଚାଳକଙ୍କ ହେଲମେଟ, ଗାଡ଼ିକାଗଜପତ୍ର ଯାଞ୍ଚ ସହ ବସ୍, ଟ୍ରାକ୍ଟର, ଟ୍ରକ୍, ଅଟୋ ଆଦିର କାଗଜପତ୍ର ଯାଞ୍ଚ କରାଯାଇଛି। ମୋଟ୍ ୩୮ଟି ଚାଲାଣ କଟାଯାଇ ୨ ଲକ୍ଷ ଟଙ୍କା ଜରିମାନା ବାବଦକୁ ଅର୍ଥ ଆଦାୟ କରାଯାଇଛି।
ସେହିପରି ୭ ମଦ୍ୟପ ଚାଳକଙ୍କୁ ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବା କନ୍ଧମାଳ ଟ୍ରାଫିକ୍ ସବ୍ଇନ୍ସପେକ୍ଟର ଶିବାନୀ ମାଝି କହିଛନ୍ତି। ଦ୍ରୁତଗତି ଚାଳକଙ୍କ ସମେତ ପରମିଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ବେଳେ ଅନେକ ବେଆଇନ ଗାଡ଼ି ଚଳାଉଥିବା ଧରା ପଡ଼ିଥିଲା। ସେ ଆହୁରି କହିଛନ୍ତି, ବୁଧବାର ବିଶେଷ କରି ବସ୍ଗୁଡ଼ିକୁ ଅଟକାଇ ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା।