ପଞ୍ଜୀକୃତ କିନ୍ନର ଉଦ୍ୟୋଗୀଙ୍କୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୨୨।୬(ଅନିଲ ଦାସ): ରାଜ୍ୟ ସରକାର ଗୁରୁବାର କିନ୍ନରମାନଙ୍କକୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବି କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କ ସମସ୍ୟା ଦୁର କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ନରମାନଙ୍କୁ ଆତ୍ମନିଯୁକ୍ତିଭିତ୍ତିକ ରୋଜଗାର ନିମନ୍ତେ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ବ୍ୟକ୍ତିଗତ ଭାବେ ଜଣେ ପଞ୍ଜୀକୃତ କିନ୍ନର ଉଦ୍ୟୋଗୀଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ା କିନ୍ନର ଉଦ୍ୟୋଗୀମାନେ ଦଳଗତ ଭାବରେ କୌଣସି ପ୍ରକଳ୍ପ ଆରମ୍ଭ କଲେ ସେମାନଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କିନ୍ନରମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି କୌଣସି ଆୟକାରୀ ପ୍ରକଳ୍ପ ଆରମ୍ଭ କଲେ, ସେହି ଗୋଷ୍ଠୀଙ୍କୁ ମଧ୍ୟ ଏକକାଳୀନ ୧ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ମିଳିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କ ନିରାପଦ ଭବିଷ୍ୟତ ଓ ଆର୍ଥିକ ନିର୍ଭରତା ନିମନ୍ତେ ସ୍ବୀକୃତି ଯୋଜନାରେ ସରକାର ଏହି ବିଶେଷ ସୁବିଧା ମଞ୍ଜୁର କରିଛନ୍ତି। ଏପରିକି ସେମାନଙ୍କ ଶିକ୍ଷାଗତ ଅଭିବୃଦ୍ଧି ଏବଂ ଆର୍ଥିକ କାର୍ଯ୍ୟକଳାପ ନିମନ୍ତେ ସରକାର ସରକାରୀ ସହାୟତାର ବ୍ୟବସ୍ଥା କରିଛନ୍ତି।

ଏପରି କି କିନ୍ନର ଛାତ୍ରଙ୍କ ପାଠପଢ଼ା ପାଇଁ ସରକାରଙ୍କ ପକ୍ଷରୁ ପ୍ରାକ୍‌-ମାଟ୍ରିକ୍‌ ଓ ମାଟ୍ରିକ୍‌ ପରବର୍ତ୍ତୀ ଶିକ୍ଷାବୃତ୍ତି ମାସିକ ସର୍ବନିମ୍ନ ୧ ହଜାର ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ପଢ଼ୁଥିବା ଶିକ୍ଷାନୁଷ୍ଠାନରେ ଛାତ୍ରାବାସର ସୁବିଧା ସହ ଉପକରଣ କ୍ରୟ ନିମନ୍ତେ ଏକକାଳୀନ ପାଠପଢ଼ା ଶେଷ ପର୍ଯ୍ୟନ୍ତ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସୁପାରିଶକୁ ଭିତ୍ତି କରି ପ୍ରତିକିନ୍ନରଙ୍କୁ ମାସିକ ୩ ହଜାର ଟଙ୍କା ଛାତ୍ରାବାସ ଖର୍ଚ୍ଚ ଯୋଗାଇ ଦିଆଯିବ। ପ୍ରତି ଜିଲାରେ କାର୍ଯ୍ୟରତ ଜିଲାସାମାଜିକ ସୁରକ୍ଷା ଅଧିକାରୀଙ୍କଠାରୁ ଏ ବାବଦରେ ବିଶଦ ସୂଚନା ଓ ତଥ୍ୟ ଉପଲବ୍ଧ ହୋଇପାରିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, କିନ୍ନରମାନଙ୍କୁ ଉତ୍ତମମାନବ ସମ୍ବଳ ଭାବେ ବିବେଚନା କରି ସେମାନଙ୍କ ସୁରକ୍ଷା ଓ ଆର୍ଥିକ ନିରାପତ୍ତା ନେଇ ସରକାର ସେମାନଙ୍କ ଶିକ୍ଷା, ଦକ୍ଷତା ଏବଂ ବିକାଶ ସାଙ୍ଗକୁ ଛାତ୍ରାବାସ ରହଣି ଉପରେ ଗୁରୁତ୍ୱ ଦେଇଛନ୍ତି।

Share