Categories: ଜାତୀୟ

PM Internship: ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ, କ’ଣ ସବୁ ଆବଶ୍ୟକ

ନୂଆଦିଲ୍ଲୀ,୧୨।୧୦: ୨୧ରୁ ୨୪ ବର୍ଷ ବୟସର ଯୁବକମାନଙ୍କ ପାଇଁ ଦେଶର ପ୍ରସିଦ୍ଧ ୫୦୦ କମ୍ପାନୀରେ ଇଣ୍ଟର୍ନସିପ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ୍‌ ଇଣ୍ଟର୍ନସିପ ଯୋଜନା ଆରମ୍ଭ ହେବାକୁ ଯାଉଛି। ଇଣ୍ଟର୍ନସିପ ଅବଧି ୧୨ ମାସ ହେବ। ଦଶମ କିମ୍ବା ତଦୁର୍ଦ୍ଧ୍ୱ ଅଧ୍ୟୟନ କରିଥିବା ଯୁବକମାନେ ଆଜିଠାରୁ ଏହି ଯୋଜନା ପାଇଁ ପଞ୍ଜୀକୃତ କରିପାରିବେ। ଏହି ଯୋଜନାର ପୋର୍ଟାଲ ଆଜିଠାରୁ ଆରମ୍ଭ ହେଉଛି । ତେବେ ଆସନ୍ତୁ ଜାଣିବା ଆବେଦନ ପ୍ରକ୍ରିୟା ବିଷୟରେ…

ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ସ୍କିମ ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନେ pminternship.mca.gov.in ଯାଇ ଅନଲାଇନ ରେଜିଷ୍ଟ୍ରେଶନ କରିପାରିବେ। ଏଥିମଧ୍ୟରୁ ୪୫୦୦ ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରୁଥିବାବେଳେ୫୦୦ ଟଙ୍କା ସଂପୃକ୍ତ କମ୍ପାନୀ କର୍ପୋରେଟ ସାମାଜିକ ଦାୟିତ୍ୱ ଅନୁଯାୟୀ ପ୍ରଦାନ କରାଯିବ।

୧୨ ଅକ୍ଟୋବରରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ୨୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହା ପରେ, ଅକ୍ଟୋବର ୨୭ରୁ, ମନୋନୀତ ଯୁବକମାନଙ୍କୁ ଇଣ୍ଟର୍ନସିପ କରିବା ପାଇଁ ଏକ କମ୍ପାନୀ ବଣ୍ଟନ କରାଯିବ । ଏହି ତାଲିକା ୭ ନଭେମ୍ବର ସୁଦ୍ଧା ପ୍ରକାଶ ପାଇବା ପରେ ୮ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ଅଫର ଚିଠି ପଠାଯିବ । ଏହା ପରେ ଛାତ୍ରୀଛାତ୍ରମାନେ ଡିସେମ୍ବର ୨ରୁ ନିଜ ନିଜ କମ୍ପାନୀରେ ଇଣ୍ଟର୍ନସିପ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ସଂରକ୍ଷଣ ନୀତି ସମଗ୍ର ଯୋଜନାରେ ପ୍ରଯୁଜ୍ୟ ରହିବ।

ଆବେଦନ କରିବାକୁ ହେଲେ ଆଧାର କାର୍ଡ, ପାସପୋର୍ଟ ସାଇଜ ଫଟୋ, ଶିକ୍ଷାଗତ ଯୋଗ୍ୟତା ଡକ୍ୟୁମେଣ୍ଟ ରହିଥିବା ଆବଶ୍ୟକ। ଆବେଦନ କରିବା ସମୟରେ ପ୍ରତ୍ୟେକ ଇଣ୍ଟର୍ନଙ୍କୁ ଅକ୍ଟୋବର ୧୧ସୁଦ୍ଧା ପଞ୍ଜୀକୃତ ହୋଇଥିବା କମ୍ପାନୀଗୁଡିକରେ ଇଣ୍ଟର୍ନସିପ ପାଇଁ ସର୍ବାଧିକ ପାଞ୍ଚଟି ବିକଳ୍ପ ଦିଆଯିବ।

୨୧ ରୁ ୨୪ବର୍ଷ ମଧ୍ୟରେ ଯୁବକମାନେ ଆବେଦନ କରିବାକୁ ସମର୍ଥ ହେବେ। ଯେଉଁମାନେ ଦଶମ, ଦ୍ୱାଦଶ, ଆଇଟିଆଇ, ପଲିଟେକ୍ନିକ ଡିପ୍ଲୋମା କିମ୍ବା BA, B.Sc., B.Com, BCA, BBA, B. Pharma କରିଛନ୍ତି । ଯେଉଁ ଯୁବକମାନଙ୍କ ପିତାମାତା କିମ୍ବା ପତି-ପତ୍ନୀ ସରକାରୀ ଚାକିରିରେ ଅଛନ୍ତି କିମ୍ବା ଯାହାର ପାରିବାରିକ ଆୟ ୮ ଲକ୍ଷରୁ ଅଧିକ କିମ୍ବା ଯେଉଁମାନେ ପୂର୍ଣ୍ଣ ସମୟ ପାଠ୍ୟକ୍ରମ ପଢୁଛନ୍ତି ସେମାନେ ଆବେଦନ କରିପାରିବେ ନାହିଁ। ଆଇଆଇଟି, ଆଇଆଇଏମ, ନ୍ୟାଶନାଲ ଲ ୟୁନିଭରସିଟି, ଆଇଏସଆର, ଏନଆଇଟି ଏବଂ ଟ୍ରିପଲ ଆଇଟି ପରି ଅନୁଷ୍ଠାନରୁ ଡିଗ୍ରୀ ହାସଲ କରିଥିବା ଯୁବକଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ। ବୃତ୍ତିଗତ ଡିଗ୍ରୀ ଥିବା ବ୍ୟକ୍ତିଙ୍କୁ ଏହି ଯୋଜନାରୁ ଦୂରେଇ ରଖାଯାଇଛି।

Share