ଜୟପୁର,୩୦।୧୦ (ନି.ପ୍ର.): କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ୩୧ ତାରିଖଠାରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରରୁ ଭୁବନେଶ୍ୱରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ଗତ ୨୦ରେ ବିମାନବନ୍ଦରକୁ ଲାଇସେନ୍ସ ମିଳିଥିବା ବେଳେ ଏବେ ବିମାନ ଉଡ଼ାଣ ଲାଗି ସ୍ଥିର ହୋଇଛି। ଏଥିପାଇଁ ଜୟପୁରଠାରୁ ଭୁବନେଶ୍ୱର ପାଇଁ ଅନ୍ଲାଇନ ଟିକେଟ ବୁକିଂ ପାଇଁ ମଧ୍ୟ ଘୋଷଣା ହୋଇଛି। ଜୟପୁରଠାରୁ ଭୁବନେଶ୍ୱର ପାଇଁ ୯୯୯ ଟଙ୍କା ଟିକେଟ ମୂଲ୍ୟ ରହିଛି। ଜୟପୁରରୁ ବିମାନ ସେବା ଆରମ୍ଭ ହେଲେ ଅଭିବକ୍ତ କୋରାପୁଟ ଜିଲାବାସୀ ଉପକୃତ ହେବେ।
ଜୟପୁର-ଭୁବନେଶ୍ବର ମଧ୍ୟରେ ଯାତ୍ରୀବାହୀ ବିମାନ ଉଡ଼ିବା ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖାଦେଇଛି। ଶନିବାର ମନ୍ତ୍ରୀ ଜଗନ୍ନାଥ ସାରକା ବିମାନବନ୍ଦରର ପ୍ରସ୍ତୁତି ବୁଲି ଦେଖିଛନ୍ତି। ଏହି ଅବସରରେ ସେ ଉପସ୍ଥିତ ଅଧିକାରୀ ପିଏ ଆଇଟିଡିଏ ଗୋପୀନାଥ ସାରକା, ବିମାନ ବନ୍ଦର ପାଇଁ ଅଧିକୃତ ଅଧିକାରୀ ଇଂ. ଭାସ୍କର ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏହି ବନ୍ଦରକୁ କିଭଳି ୭୨ ସିଟ୍ ବିଶିଷ୍ଟ ବିମାନ ଆସିବ ଏବଂ ବିମାନବନ୍ଦର ଲାଗି ଆବଶ୍ୟକ ଥିବା ଆଉ ୨୦୫ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ରାଜ୍ୟ ସରକାରଙ୍କଠାରୁ କିପରି ଶୀଘ୍ର ଅନୁମତି ମିଳିବ ସେନେଇ ସେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ। ୩୧ରୁ ନିୟମିତ ବିମାନ ଉଡ଼ିବା ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ଜିଲାପାଳ ଅବ୍ଦାଲ ଏମ୍. ଅଖତାର, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଜୟପୁର ବିମାନବନ୍ଦର ପରିଦର୍ଶନ କରି ସହକାରୀ ନିର୍ବାହୀ ଯନ୍ତ୍ରୀ ସୋମନାଥ ତ୍ରିପାଠୀଙ୍କ ସହ ଆଲୋଚନା କରି ଫେରିଛନ୍ତି।