କାର୍ଯ୍ୟ ବୋଝରେ ଠିକା ଶ୍ରମିକ

ବଅଁରପାଳ,୧ା୫ (ଡି.ଏନ.ଏ.): ଶ୍ରମିକଙ୍କ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ଏହା ସତ୍ତ୍ୱେ ଶ୍ରମିକମାନେ ଆଜି ଅବହେଳିତ ଅବସ୍ଥାରେ ରହିଛନ୍ତି। ଦୀର୍ଘବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ ହେଁ ଆବଶ୍ୟକ ପାରିଶ୍ରମିକ ଓ ସୁବିଧା ସୁଯୋଗ ସେମାନଙ୍କୁ ମିଳିପାରୁ ନ ଥିବା ଏବେ ବି ଅଭିଯୋଗ ହେଉଛି। ସେହିପରି ସ୍ଥାୟୀ ଶ୍ରମିକମାନେ ଅବସର ନେଉଥିବାବେଳେ ନୂତନ ନିଯୁକ୍ତି କ୍ଷେତ୍ରରେ ଅବହେଳା କରାଯାଉଥିବାରୁ ଦିନକୁ ଦିନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଫଳରେ ଠିକା ଶ୍ରମିକମାନଙ୍କ ଉପରେ କାର୍ଯ୍ୟର ବୋଝ ବଢ଼ୁଛି। ଏପରି କି ଉତ୍ପାଦନ କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି। ଅନୁଗୋଳ ଜିଲାର ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ନାଲ୍‌କୋ ଏହାର ଏକ ଉଦାହରଣ।
ଅନୁଗୋଳ ଜିଲାରେ ଥିବା ନାଲ୍‌କୋର ସିପିପି ଓ ସ୍ମେଲଟରରେ ସ୍ଥାୟୀ କର୍ମଚାରୀଙ୍କ ବ୍ୟତୀତ ୪ ହଜାରରୁ ଅଧିକ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି। ପ୍ଲାଣ୍ଟ ନିର୍ମାଣରେ ଏହି ଶ୍ରମିକମାନଙ୍କର ବହୁ ଅବଦାନ ରହିଛି। ହେଲେ କର୍ତ୍ତୃପକ୍ଷ ଅନେକ ସମୟରେ ଏହି ଠିକା ଶ୍ରମିକମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହେଉଛି। କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ ଠିକାଶ୍ରମିକ କାର୍ଯ୍ୟରତ ଥିବାବେଳେ ଅନେକ ସମୟରେ କୁଶଳୀ ଶ୍ରମିକଙ୍କୁ ଅଣକୁଶଳୀଙ୍କ ପ୍ରାପ୍ୟ ଦିଆଯାଉଛି। ସେହିପରି ନିୟମ ଅନୁଯାୟୀ ମହିଳା ଶ୍ରମିକ କାର୍ଯ୍ୟ କରୁଥିଲେ ସେମାନଙ୍କ ଶିଶୁର ଲାଳନପାଳନ ନିମନ୍ତେ କାରଖାନା ପକ୍ଷରୁ ସାଧାରଣତଃ ଶିଶୁପାଳନ ଗୃହ ବା କ୍ରେଚ୍‌ କରାଯିବାର ଆବଶ୍ୟକତା ରହିଛି। ମହିଳା ଶ୍ରମିକମାନେ ପ୍ଲାଣ୍ଟକୁ ଯିବା ପୂର୍ବରୁ ଶିଶୁମାନଙ୍କୁ ଏହି ଗୃହରେ ଛାଡି ଯାଇଥାନ୍ତି। ମାତ୍ର ସିପିପି ଓ ସ୍ମେଲଟରରେ ଥିବା କ୍ରେଚ୍‌ରେ ଦୀର୍ଘବର୍ଷ ହେଲା ତାଲା ଝୁଲୁଛି। ୨୦୦୭ଠାରୁ ନୂତନ ନିଯୁକ୍ତି କ୍ଷେତ୍ରକୁ ଅଣଦେଖା କରାଯାଉଛି। କେବଳ କେତେଜଣ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନ୍ୟମାନଙ୍କ ପାଇଁ ସୁଯୋଗ ପ୍ରାୟତଃ ନାହିଁ। ଏବେ ପ୍ରତ୍ୟେକ ମାସରେ ନାଲ୍‌କୋରୁ ୩୦ରୁ ୪୦ କର୍ମଚାରୀ ଅବସର ଗ୍ରହଣ କରୁଛନ୍ତି। ଯେଉଁ ଜମିହରା କ୍ଷତିଗ୍ରସ୍ତଙ୍କୁ ଚାକିରି ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅନେକ ୩ରୁ ୪ ବର୍ଷ ମଧ୍ୟରେ ଅବସର ନେଇଯିବେ। ଏଥିଯୋଗୁ ପ୍ଲାଣ୍ଟରେ ମାନବ ସମ୍ବଳ କମିଯିବ। ବରିଷ୍ଠ ଓ ଅଭିଜ୍ଞ କର୍ମଚାରୀମାନେ ଚାକିରିରୁ ଅବସର ନେବା ପରେ ବହୁ ସମସ୍ୟା ଉପୁଜିବ। କିନ୍ତୁ ନୂତନ ନିଯୁକ୍ତି କ୍ଷେତ୍ରରେ ନାଲ୍‌କୋ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର କରିପାରୁ ନାହାନ୍ତି। ତେଣୁ ଠିକା ଶ୍ରମିକମାନଙ୍କ ଉପରେ କାର୍ଯ୍ୟ ବୋଝ ଅଧିକ ପଡ଼ିବ ବୋଲି ଶ୍ରମିକ ନେତାମାନେ ମତ ପ୍ରକାଶ
କରିଛନ୍ତି। ଏ ସମ୍ପର୍କରେ ନାଲ୍‌କୋ ମାନବ ସମ୍ବଳ ବିଭାଗ ଉପମହାପ୍ରବନ୍ଧକ ସୁନୀଲ ମହାପାତ୍ର କହିଛନ୍ତି, ପ୍ରତ୍ୟେକ ମାସରେ ୩୦ରୁ ୪୦ କର୍ମଚାରୀ ଅବସର ନେଉଛନ୍ତି। ତେଣୁ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଛି। ନୂତନ ନିଯୁକ୍ତି ପାଇଁ ନାଲ୍‌କୋ କର୍ପୋରେଟ୍‌ ପକ୍ଷରୁ ନିର୍ଦ୍ଦେଶ ଆସିଲେ ସେ ଦିଗରେ ପଦକ୍ଷେପ ନିଆଯିବ।

ମାନବ ସମ୍ବଳ କମୁଛି
ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ୨୬୦୦ ସ୍ଥାୟୀ କର୍ମଚାରୀ ଥିଲେ। ଏବେ ସେମାନଙ୍କ ସଂଖ୍ୟା ୧୬୦୦। ସେହିପରି ସିପିପିରେ ୧୨oo କର୍ମଚାରୀ ଥିଲେ। ଏବେ ମାତ୍ର ୪୭୮ ଜଣ କାର୍ଯ୍ୟରତ ଅଛନ୍ତି। ପ୍ଲାଣ୍ଟରେ ଧୀରେ ଧୀରେ ମାନବ ସମ୍ବଳ କମୁଥିବାରୁ ନୂତନ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉ।
-ବିଭବ ଜେନା, ସାଧାରଣ ସମ୍ପାଦକ, ନାଲ୍‌କୋ ଶ୍ରମିକ କଂଗ୍ରେସ
ପ୍ରତିବାଦ ନିମନ୍ତେ ଶ୍ରମିକ ଏକତ୍ରିତ ହୁଅନ୍ତୁ
କର୍ମଚାରୀଙ୍କ ଦୀର୍ଘ ଦିନର ଦାବି ପ୍ରତି ନାଲ୍‌କୋ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। କର୍ମଚାରୀଙ୍କ ସରଳତାର ଫାଇଦା ଉଠାଉଛନ୍ତି। ଶ୍ରମିକମାନେ ଏକତ୍ରିତ ହୋଇ ଏହାର ପ୍ରତିବାଦ କଲେ ସମସ୍ତ ଦାବି ପୂରଣ ହୋଇପାରିବ।
-ମନୋଜ ଅମାନ୍ତ, ସାଧାରଣ ସମ୍ପାଦକ, ବିଦ୍ୟୁତ୍‌ ମଜଦୁର ସଂଘ
ସ୍ବୀକୃତିପ୍ରାପ୍ତ ନିର୍ବାଚନ ହେଉନି
ଉଭୟ ସ୍ମେଲଟର ଓ ସିପିପିରେ ଦୀର୍ଘବର୍ଷ ହେଲା ସ୍ବୀକୃତିପ୍ରାପ୍ତ ସଂଘ ପାଇଁ ନିର୍ବାଚନ ହେଉନି। ଫଳରେ ଶ୍ରମିକ ସଙ୍ଗଠନ ଓ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇପାରୁନାହିଁ। ଏଥିଯୋଗୁ ଶ୍ରମିକମାନଙ୍କ ସମସ୍ୟା ସମାଧାନ ହେଉନାହିଁ।
-ବୈରାଗୀ ସେଠ, ସାଧାରଣ ସମ୍ପାଦକ, ନେପୁ
ମୌଳିକ ଦାବି ପୂରଣ ହେଉନି
ନାଲ୍‌କୋରେ କର୍ମଚାରୀମାନଙ୍କ ଅନେକ ସମସ୍ୟା ରହିଛି। ଏ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଉଛି। ହେଲେ ସେସବୁ ପୂରଣ କରିବା ଦିଗରେ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ।
-ମୁନା ସାମଲ, ସଭାପତି, ଆଲୁମିନିୟମ୍‌ ମଜଦୁର ସଂଘ