ମୁହଁ ଖୋଲିଲେ ରେଖା

ମୁମ୍ବାଇ: ବଲିଉଡ୍‌ରେ ଏବେ କରୋନା ଚର୍ଚ୍ଚା। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହାପରେ ନାୟିକା ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା। ଫଳରେ ବିଏମ୍‌ସି ପକ୍ଷରୁ ରେଖାଙ୍କ ବଙ୍ଗଳାକୁ ସିଲ୍‌ କରାଯିବା ସହ ସୁରକ୍ଷାକର୍ମୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥିଲା। ଏହାପରେ ବିଏମ୍‌ସି ରେଖାଙ୍କ କରୋନା ଟେଷ୍ଟ କରିବାକୁ କହିଥିବା ବେଳେ ସେ କୁଆଡେ ରାଜି ହୋଇ ନ ଥିଲେ ବୋଲି ଶୁଣିବାକୁ ମିଳିଥିଲା। ଏମିତିକି ତାଙ୍କ ଘର ସାନିଟାଇଜ କରିବାକୁ ବିଏମ୍‌ସି ଯେତେଥର ତାଙ୍କ କଲିଂ ବେଲ୍‌ ମାରିଥିଲା କେହି ଗେଟ୍‌ ଖୋଲି ନ ଥିଲେ ବୋଲି ଅଭିଯୋଗ ମଧ୍ୟ ଆସିଥିଲା। ଏବେ କିନ୍ତୁ ଏହାକୁ ନେଇ ମୁହଁ ଖୋଲିଛନ୍ତି ନାୟିକା ରେଖା। ସେ କହିଛନ୍ତି ଏବେ ସେ କରୋନା ଟେଷ୍ଟ ପାଇଁ ରାଜି। ତାଙ୍କ ମ୍ୟାନେଜର ଫରଜାନା ରେଖା କରୋନା ଟେଷ୍ଟ କରିବେ ବୋଲି କହିଛନ୍ତି। ତାଙ୍କସହ ମ୍ୟାନେଜର ଫରଜାନା ମଧ୍ୟ ନିଜର କରୋନା ଟେଷ୍ଟ କରିବା ପରେ ରିପୋର୍ଟ ବିଏମ୍‌ସିକୁ ପଠାଇ ଦେବେ ବୋଲି କହିଛନ୍ତି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏମାନଙ୍କର କରୋନା ଟେଷ୍ଟ ହେବା ବୋଲି କୁହାଯାଉଛି।

Share