ଏହି ଅଭିନେତ୍ରୀଙ୍କ ପାଇଁ ଶୁଟିଂ ସେଟ୍‌ରେ ପ୍ରବଳ ରାଗି ଯାଇଥିଲେ ରେଖା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ରେଖା ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ମୁହଁରେ ଆଜି ବି ଚମକ ଅକ୍ଷୁଣ୍ଣ ରହିଛି। ତାଙ୍କ ସମୟରେ ତାଙ୍କର ଅଭିନୟ ଏବଂ ଚେହେରା ଉଭୟ ଚର୍ଚ୍ଚାରେ ଥିଲା। ଅନ୍ୟପକ୍ଷରେ ଅଭିନେତ୍ରୀ ରୀନା ରାୟ ମଧ୍ୟ ସେହି ସମୟରେ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ହିରୋଇନ ଥିଲେ। ରେଖା ଏବଂ ରୀନା ଉଭୟ ପ୍ରସିଦ୍ଧ ଅଭିନେତ୍ରୀ। ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି ଏହି ଦୁଇ ଅଭିନେତ୍ରୀ। ୧୯୭୬ ଫିଲ୍ମ ‘ନାଗିନ୍‌’ରେ ଦୁହେଁ ଏକାଠି ସ୍କ୍ରିନ ଶେୟାର କରିଥିଲେ। କିନ୍ତୁ ଶୁଟିଂ ସେଟ୍‌ରେ ଏପରି କିଛି ଘଟିଥିଲା। ଯେଉଁଠି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରେଖା ଏବଂ ରୀନାଙ୍କ ଅଭିନୀତ ଫିଲ୍ମ ‘ନାଗିନ୍‌’ ରାଜକୁମାର କୋହଲିଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ଫିଲ୍ମରେ ରେଖା ଏବଂ ସୁନୀଲ ଦତ୍ତଙ୍କ ଉପରେ ଏକ ଗୀତ ଶୁଟିଂ କରାଯାଇଥିଲା। ଗୀତର ଲିରିକ୍ସ ହେଲା- ‘ତେରେ ଇସ୍କ କା ମୁଝ୍‌ପେ ହୁଆ ୟେ ଅସର ହୈ।’ ଏହି ଗୀତ ପାଇଁ ଅନେକ ଡ୍ରେସ୍‌ ପ୍ରତ୍ୟାଖ୍ୟାନ କରିବା ପରେ ରେଖା ନିଜ ପାଇଁ ଏକ ଡ୍ରେସ୍‌ ଚୂଡାନ୍ତ କରିଥିଲେ। କୌଣସି କାରଣରୁ ରେଖାଙ୍କ ଗୀତ ପୂର୍ବରୁ ରୀନା ଏବଂ ଜିତେନ୍ଦ୍ରଙ୍କ ଉପରେ ‘ତେରେ ସଙ୍ଗ ପ୍ୟାର୍‌ ମୈ ନହିଁ ତୋଡ୍‌ନା’ ଗୀତ ଶୁଟିଂ ଆରମ୍ଭ ହୋଇଥିଲା। ଗୀତଟି ଶୁଟିଂ ହେବାକୁ ଥିବା ସମୟରେ ରେଖା ମଧ୍ୟ ଉପସ୍ଥିତ ଥିଲେ। ରେଖା ଲକ୍ଷ୍ୟ କରିଥିଲେ, ରୀନା ପିନ୍ଧିଥିବା ଡ୍ରେସ ତାଙ୍କ ଡ୍ରେସ୍‌ ଅପେକ୍ଷା ବହୁତ ଭଲ। ସେ ଏଥିରେ ପ୍ରବଳ ରାଗି ଯାଇଥିଲେ।

ରେଖା ଏତେ ରାଗି ଯାଇଥିଲେ ଯେ, ସେ ସିଧା ନିର୍ମାତା ରାଜକୁମାର କୋହଲିଙ୍କ ନିକଟକୁ ଯାଇଥିଲେ। ରାଗିଯାଇ ରେଖା ତାଙ୍କୁ କହିଥିଲେ, ମୋର ଡ୍ରେସ୍‌ ବଦଳାନ୍ତୁ। ନିର୍ମାତା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ କହିଥିଲେ, ‘ତୁମର ଡ୍ରେସ୍‌ ତିଆରି ହୋଇସାରିଛି। କିନ୍ତୁ ରେଖା ସ୍ପଷ୍ଟ ଭାବରେ କହିଥିଲେ ‘ମୁଁ ସେହି ଡ୍ରେସ୍‌ରେ ଶୁଟିଂ କରିବି ନାହିଁ। ତୁମେ ମୋ’ ଅପେକ୍ଷା ରୀନାଙ୍କୁ ଏକ ଭଲ ଡ୍ରେସ୍‌ ଦେଇଛ। ମୋତେ ତାଙ୍କଠାରୁ ଏକ ସୁନ୍ଦର ଡ୍ରେସ୍‌ ଦିଅ। ନଚେତ ଏହି ଗୀତର ଶୁଟିଂ ପାଇଁ ଆଉ କାହାକୁ ଆଣ। ଶେଷରେ ରେଖାଙ୍କ କଥା ମାନି ଆଉ ଏକ ଭଲ ଡ୍ରେସ୍‌ ଆଣିଥିଲେ ଫିଲ୍ମ ନିର୍ମାତା। ପରେ ଗୀତର ଶୁଟିଂ ଆରମ୍ଭ ହୋଇଥିଲା।

Share