ପାକିସ୍ତାନ ସହ ସମ୍ପର୍କ ନୂଆ ଶିଖରକୁ ଯିବ: ଚାଇନା…

ବେଜିଂ,୧।୮ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଚାଇନା ତାର ସର୍ବକାଳୀନ ସହଯୋଗୀ ପାକିସ୍ତାନ ସହ ସମ୍ପର୍କକୁ ଏକ ନୂତନ ଶିକରକୁ ନେଇ ରଣନୀତିକ ସମ୍ପର୍କ ସ୍ଥାପନ କରିବ। ଆଞ୍ଚଳିକ ସଂଯୋଗ ପାଇଁ ଦକ୍ଷିଣ ଏସୀୟ ଦେଶରେ ସିପିଇସି ଭିତ୍ତିଭୂମି ପ୍ରକଳ୍ପର ଦଶମ ବାର୍ଷିକୀ ପାଳନ ଅବସରରେ ସେ ଏଭଳି କହିଛନ୍ତି।

ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ର ଏକ ଦଶନ୍ଧି ପୂରଣ ଅବସରରେ ଇସଲାମାବାଦରେ ଏକ ଉତ୍ସବ ପାଳନ କରାଯାଇଥିଲା। ଜିନପିଙ୍ଗ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ୬୦ ବିଲିୟନ ଡଲାରର ଏହି ଭିତ୍ତିଭୂମି କାର୍ଯ୍ୟକ୍ରମ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)ର ଏକ ଗୁରୁତ୍ୱପୂର୍ଣ୍ଣ ଫ୍ଲାଗସିପ ପ୍ରକଳ୍ପ ଅଟେ। ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଦେଇ ଯାଉଥିବା ବାଲୁଚିସ୍ତାନର ଗ୍ବାଦର ବନ୍ଦରକୁ ଚାଇନାର ଜିନଝିଆଙ୍ଗ ପ୍ରଦେଶ ସହିତ ସଂଯୋଗ କରୁଥିବା ସିପିଇସିକୁ ଭାରତ ବିରୋଧ କରୁଛି।

ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ତିନି ଦିନିଆ ଗସ୍ତରେ ଥିବା ଚାଇନାର ଭାଇସ ପ୍ରିମିୟର ହେ ଲିଫେଙ୍ଗ ଯୋଗ ଦେଇଥିଲେ। ୨୦୧୩ ରେ ଏହାର ଶୁଭାରମ୍ଭ ପରଠାରୁ ଚାଇନା ଏବଂ ପାକିସ୍ଥାନ ବ୍ୟାପକ ପରାମର୍ଶ, ମିଳିତ ଅବଦାନ ଏବଂ ସହଭାଗୀ ଲାଭ ନୀତିରେ ସିପିଇସି ଜାରି ରଖିଛନ୍ତି। ପାକିସ୍ତାନର ଅଥନୈତିକ ତଥା ସାମାଜିକ ବିକାଶ ପାଇଁ ସିପିଇସି ନୂତନ ଗତି ଦେଇଛି ଏବଂ ଆଞ୍ଚଳିକ ସଂଯୋଗ ଏବଂ ଏକୀକରଣ ପାଇଁ ଏକ ଭଲ ଭିତ୍ତିପ୍ରସ୍ତର ସ୍ଥାପନ କରିଛି ବୋଲି ଜିନପିଙ୍ଗ କହିଛନ୍ତି।

Share