ସୀମା ପାକିସ୍ତାନ ଫେରିବା ଚାହୁଁ ନାହାନ୍ତି ସମ୍ପର୍କୀୟ

କରାଚି,୧୭।୭: ସୀମା ଗୁଲାମ ହାଇଦର ଅନ୍‌ଲାଇନ୍‌ ପବ୍‌ଜି ଖେଳି ନୋଏଡାର ସଚିନ ମିଣାଙ୍କ ପ୍ରେମରେ ପଡ଼ିବା ପରେ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ। ନିଜ ୪ ପିଲାଙ୍କ ସହ ନେପାଳ ଦେଇ ଭାରତ ଆସିଥିବା ସୀମା ପୁଣିଥରେ ପାକିସ୍ତାନ ନ ଫେରନ୍ତୁ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି। ସେମାନଙ୍କ ମତରେ ସୀମା ଏବେ ଅନ୍ୟ ସମ୍ପ୍ରଦାୟର ହୋଇଗଲେଣି। ସେଥିପାଇଁ ତାଙ୍କୁ ପୁଣିଥରେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତରେ ବେଆଇନ ପ୍ରବେଶ ନେଇ ସୀମାଙ୍କୁ ଜୁଲାଇ ୪ରେ ଗିରଫ କରାଯାଇଥିଲା। ଜାମିନରେ ଆସିବା ପରେ ସେ ପାକିସ୍ତାନ ଯିବାକୁ ଅରାଜି। ସେଠାକୁ ଗଲେ ତାଙ୍କୁ ମୃତ୍ୟୁ ଭୟ ଥିବା ସୀମା କହିଛନ୍ତି। ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର ସାଉଦି ଆରବରେ ଚାକିରି କରୁଥିବାବେଳେ ସୀମା ତାଙ୍କ ପିଲାଙ୍କ ସହ ଏକୁଟିଆ ଗୁଲିସ୍ତାନ-ଇ-ଜୈହାରସ୍ଥିତ ଘରେ ରହୁଥିଲେ। ୨୦୧୯ରୁ ସୀମା ସଚିନଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଗୁଲାମ ପୁଣିଥରେ ସୀମାଙ୍କୁ ଆପଣାଇବାକୁ ପ୍ରସ୍ତୁତ ଥିବା ଏକ ଭିଡିଓରେ କହିଛନ୍ତି।

Share