‘ସମ୍ପର୍କୀୟଙ୍କୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯାଉଛି’

ଭୁବନେଶ୍ୱର,୨।୧୨(ବ୍ୟୁରୋ): ବିଜେଡିରୁ ବହିସ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କର ସମ୍ପର୍କୀୟଙ୍କୁ ପୋଲିସ ଥାନାକୁ ଡକାଇ ଥାର୍ଡ ଡିଗ୍ରୀ ପ୍ରୟୋଗ କରୁଛି। ତାଙ୍କ ବିରୋଧରେ କୌଣସି ଏତଲା କିମ୍ବା ଅଭିଯୋଗ ହୋଇ ନ ଥିଲେ ମଧ୍ୟ ଜାଣିଶୁଣି ହଇରାଣ କରାଯାଉଛି। ତେଣୁ ସୁରକ୍ଷା ପାଇଁ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ ଏବଂ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି ବୋଲି ମଙ୍ଗଳବାର ପ୍ରଦୀପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରଦୀପଙ୍କ କହିବାନୁଯାୟୀ ତାଙ୍କ ସମ୍ପର୍କୀୟଙ୍କୁ ନିର୍ଯାତନା ଦିଆଯିବା ସହ ସେମାନଙ୍କୁ ମୋ ବିରୋଧରେ ବୟାନ ଦେବାକୁ ବାଧ୍ୟ କରାଯାଉଛି। ସରକାର ମୋତେ ଏବଂ ମୋ ପରିବାରକୁ ହଇରାଣ କରିବା ଉଦ୍ଦେଶ୍ୟରେ ବିଭିିନ୍ନ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଛନ୍ତି। ପରୀ ହତ୍ୟା ଭଳି ମାମଲାରୁ ନଜର ହଟାଇବା ପାଇଁ ମୋ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଉଛି। ମୁଁ ଜାଣିପାରୁନି ମୋ ବିରୋଧରେ ହେଉଥିବା ଏଭଳି ଷଡ଼ଯନ୍ତ୍ର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଫୋନ କଲେ ମଧ୍ୟ ତାଙ୍କ ସହିତ କଥା କରାଇ ଦିଆଯାଉ ନାହିଁ ବୋଲି ପ୍ରଦୀପ କହିଛନ୍ତି।

Share