ନୂଆଦିଲ୍ଲୀ,୨୦।୮: ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଲାଗି କେନ୍ଦ୍ର କ୍ୟାବିନେଟ୍ ପରିଚାଳନା ପୁଞ୍ଜି ସୀମା ନିୟମରେ କୋହଳ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଉଜ୍ଜ୍ୱଳ ଡିସ୍କମ୍ ଆସ୍ୟୁରାନ୍ସ ଯୋଜନା(ଉଦୟ) ଯୋଜନା ଅଧିକ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ କାର୍ଯ୍ୟକ୍ରମ ଅଧୀନରେ ଏହାକୁ ଅନୁମତି ମିଳିଛି। ଦେଶର ଶକ୍ତି କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୂର୍ବରୁ ପରିଚାଳାନ ପୁଞ୍ଜି ସୀମା ୨୫% ରହିଥିଲା। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି। କମ୍ପାନୀଗୁଡିକୁ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ ଯୋଜନାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। ମାତ୍ର କିଛି କମ୍ପାନୀ ଏହା ଅଧୀନରେ ଋଣ ଲାଭ କରିପାରୁ ନ ଥିଲେ। କାରଣ ପରିଚାଳନା ପୁଞ୍ଜି ନିୟମକୁ ଏମାନେ ଠିକ୍ ଭାବେ ପାଳନ କରିବାକୁ ସକ୍ଷମ ହେଉ ନ ଥିଲେ। କମ୍ପାନୀର ୨୫% ରାଜସ୍ବ ପରିଚାଳନା ପୁଞ୍ଜି ଭାବେ ରଖିବାକୁ କଡ଼ାକଡ଼ି ନିୟମ ରହିଛି। ଉଦୟ ସ୍କିମ୍ରେ ଏହି ନିୟମକୁ ୨୦୧୫ରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା। ପରିଚାଳନା ପୁଞ୍ଜି ସୀମାରେ କୋହଳ ହେଲେ କିଛି କମ୍ପାନୀ ଋଣ ପାଇବାକୁ ସକ୍ଷମ ହେବେ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା।