Categories: ବାଣିଜ୍ୟ

ଅର୍ବାନ ଲ୍ୟାଡରର ୯୬% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ: ହୋମ୍‌ ଡେକୋର ସଲ୍ୟୁଶନ କମ୍ପାନୀ ଅର୍ବାନ ଲ୍ୟାଡରର ୯୬% ଅଂଶଧନକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ କ୍ରୟ କରିଛି। ୧୮୨.୧୨ କୋଟି ଟଙ୍କାରେ ଏହି ଚୁକ୍ତି ହୋଇଛି। ଏହା ଦ୍ୱାରା ରିଲାଏନ୍ସକୁ ଶତ ପ୍ରତିଶତ ଶେୟାର ହୋଲ୍ଡିଂ ମିଳିଯିବ ବୋଲି ଜଣାପଡିଛି। ରିଲାଏନ୍ସ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଏକ ଫାଇଲିଂରେ କହିଛି ଯେ, ଅର୍ବାନ ଲ୍ୟାଡରରେ ୭୫ କୋଟି ଟଙ୍କା ନିବେଶ କରାଯିବ। ବାକି ନିବେଶ ୨୦୨୩ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ୨୦୧୨ ଫେବୃୟାରୀରେ ଅର୍ବାନ ଲ୍ୟାଡର ଭାରତରେ ଏହାର କାରବାର ଆରମ୍ଭ କରିଥିଲା। ଡିଜିଟାଲ ପ୍ଲାଟଫର୍ମରେ ଫର୍ନିଚର ଏବଂ ଡେକୋର ଉତ୍ପାଦର ବିକ୍ରି କ୍ଷେତ୍ରରେ ଅର୍ବାନ ଲ୍ୟାଡର ଏକ ପ୍ରମୁଖ କମ୍ପାନୀ ରହି ଆସିଛି। ଦେଶର ବିଭିନ୍ନ ସହରରେ ଏହାର ରିଟେଲ ଷ୍ଟୋର ମଧ୍ୟ ରହିଛି। ୨୦୧୯ରେ ଏହି କମ୍ପାନୀ ୪୩୪ କୋଟି ଟଙ୍କାର କାରବାର କରିଥିଲା। କମ୍ପାନୀ ୪୯.୪୧ କୋଟି ଟଙ୍କା ଲାଭ ମଧ୍ୟ କରିଛି। ୨୦୧୮ରେ ଏହି କମ୍ପାନୀ ୧୧୮ କୋଟି ଟଙ୍କା କାରବାର କରିଥିଲା। ରିଟେଲ କ୍ଷେତ୍ରରେ ନିଜର ଦୃଢ ଉପସ୍ଥିତି ଜାହିର କରିବା ଲାଗି ରିଲାଏନ୍ସ ଯୋଜନା ରଖିଛି। ଏଥି ଲାଗି ଅର୍ବାନ ଲ୍ୟାଡରକୁ ରିଲାଏନ୍ସ ଅଧିଗ୍ରହଣ କରିଥିବା ଜଣାପଡିଛି।

Share