Categories: ବାଣିଜ୍ୟ

ରିଲାଏନ୍ସ ଫାଉଣ୍ଡେଶନ ସ୍କଲାରଶିପ ଆବେଦନର ଶୁଭାରମ୍ଭ

ମୁମ୍ବାଇ,୧୮।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେଶନର ବହୁ ପ୍ରତୀକ୍ଷିତ ଛାତ୍ରବୃତ୍ତି ଆବେଦନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫,୧୦୦ଛାତ୍ରୀଛାତ୍ରଙ୍କୁ ଏହି ବୃତ୍ତି ପ୍ରଦାନ କରିବା ସହ ଆବେଦନ ପାଇଁ ମଧ୍ୟ ଆହ୍ବାନ କରାଯାଇଛି। ସେହିଭଳି ସମଗ୍ର ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ପୂର୍ଣ୍ଣକାଳୀନ ନିୟମିତ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋର ଛାତ୍ରୀଛାତ୍ରମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ଛାତ୍ରବୃତ୍ତିର ଆନୁଷ୍ଠାନିକ ଆବେଦନ ଆରମ୍ଭ ହୋଇଯାଇଥିଲାବେଳେ ୨୦୨୪ ଅକ୍ଟୋବର ୬ ଆବେଦନର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ସ୍ନାତକ ପାଠ୍ୟକ୍ରମରେ ସମସ୍ତ ବିଷୟ ପାଇଁ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଯୋଗ୍ୟ ବିବେଚିତ ୫୦୦୦ ସ୍ନାତକ ଛାତ୍ରୀଛାତ୍ରଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏପରିକି ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବର୍ଷର ଯୋଗଦେଉଥିବା ସମସ୍ତ ଛାତ୍ରୀଛାତ୍ର ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଯୋଗ୍ୟତା ଏବଂ ପାରିବାରିକ ଆୟ ଆଧାରରେ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ, ଯାହା ଦ୍ୱାରା ବିନା ଆର୍ଥତ୍କ ବୋଝରେ ସେମାନେ ନିଜ ପାଠପଢ଼ା ଜାରି ରଖିପାରିବେ। ସ୍ନାତକୋର ପାଠ୍ୟକ୍ରମରେ ଇଞ୍ଜିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟଗୁଡ଼ିକ ପାଇଁ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଏହା କେବଳ ଯୋଗ୍ୟତା ଆଧାରରେ ଦିଆଯିବ। ସ୍ନାତକୋର ପାଠ୍ୟକ୍ରମରେ ନାମ ଲେଖାଉଥିବା ୧୦୦ଛାତ୍ରୀଛାତ୍ରଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ବାଲ୍ୟ ଶିକ୍ଷାଠାରୁ ଆରମ୍ଭକରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରିଲାଏନ୍ସ ଫାଉଣ୍ଡେଶନ କାର୍ଯ୍ୟର କେନ୍ଦ୍ରରେ ଶିକ୍ଷା ରହିଛି। ୨୦୨୨ ଡିସେମ୍ବରରେ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେଶନ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ ବୋଲି ଘୋଷଣା କରିଥିଲେ। ଫଳରେ ଏହା ଭାରତର ସର୍ବବୃହତ୍‌ ଘରୋଇ ଛାତ୍ରବୃତ୍ତିରେ ପରିଣତ ହୋଇଛି। ସେବେଠାରୁ ପ୍ରତି ବର୍ଷ ୫୧୦୦ ଛାତ୍ରୀଛାତ୍ରଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଉଛି। ରିଲାଏନ୍ସ ଫାଉଣ୍ଡେଶନର ୱେବ୍‌ସାଇଟ www.scholarships.reliancefoundation.org ମାଧ୍ୟମରେ ଛାତ୍ରୀଛାତ୍ର ଅନ୍‌ଲାଇନରେ ଆବେଦନ କରିପାରିବେ ଏବଂ ଅଧିକ ସୂଚନା ମଧ୍ୟ ହାସଲ କରିପାରିବେ।

Share