Categories: ବାଣିଜ୍ୟ

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ତଥା ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମୀର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ଯୁବପିଢ଼ିକୁ ଭବିଷ୍ୟତର ଚାକିରି ନିମନ୍ତେ ପ୍ରସ୍ତୁତ କରିବା ପାଇଁ ସମର୍ପିତ ଏକ ପ୍ଲାଟ୍‌ଫର୍ମ ବୋଲି କୁହାଯାଉଛି।

ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ସହଯୋଗରେ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଭବିଷ୍ୟତର ନିଯୁକ୍ତି ପାଇଁ ଯୁବ ସଶକ୍ତୀକରଣ’ ଶୀର୍ଷକ ଏକ ଜାତୀୟ ସମ୍ମିଳନୀରେ ଏହି ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରାଯାଇଥିଲ। ସେଥିରେ ଭାରତର ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ସରକାର, ନୀତି ନିର୍ଦ୍ଧାରକ, କର୍ପୋରେଟ୍‌, ଦାତବ୍ୟ, ଶିଳ୍ପ, ନାଗରିକ ସମାଜ ଏବଂ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି, ଭାରତର ଯୁବପିଢ଼ି ଆଜି ଅପାର ସୁଯୋଗର ଦ୍ୱାରଦେଶରେ ରହିଛି ଏବଂ ରିଲାଏନ୍ସ ଫାଉଣ୍ଡେଶନ ଓ ଏନ୍‌ଏସ୍‌ଡିସିର ଏହି ସହଭାଗିତା ସେମାନଙ୍କୁ ଭବିଷ୍ୟତର ନିଯୁକ୍ତି ପାଇଁ ସଶକ୍ତ କରିବା ଦିଗରେ ଏକ ମାଇଲଖୁଣ୍ଟ ହେବ। ରିଲାଏନ୍ସ ଫାଉଣ୍ଡେଶନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ଯୁବପିଢ଼ିଙ୍କୁ ସେମାନଙ୍କ ଆକାଂକ୍ଷା ଅନୁରୂପ ସକ୍ଷମ କରିବା ରିଲାଏନ୍ସ ଫାଉଣ୍ଡେଶନର ମୂଳ ଦର୍ଶନର ଏକ ଅଂଶ। ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମୀ ସେହି ଆକାଂକ୍ଷା ପୂରଣ କରିବା ଏବଂ ଯୁବତୀଯୁବକମାନଙ୍କୁ ଭବିଷ୍ୟତର ଚାକିରି ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ପଦକ୍ଷେପ। ବୈଷୟିକ ଜ୍ଞାନକୌଶଳର ଉପଯୋଗକରି ଏହି ପ୍ଲାଟ୍‌ଫର୍ମ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ।

ରିଲାଏନ୍ସ ଫାଉଣ୍ଡେଶନ ଏବଂ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମୀରେ ସହଭାଗିତା କରିବାକୁ ସହମତ ହୋଇଛନ୍ତି, ଯାହା ଦ୍ୱାରା ପ୍ଲାଟ୍‌ଫର୍ମରେ ବିକଶିତ ଭବିଷ୍ୟତଭିିକ ଦକ୍ଷତା ପାଠ୍ୟକ୍ରମର ଉପସ୍ଥିତି ଏବଂ ପ୍ରଭାବ ବୃଦ୍ଧି ପାଇବ।

Share