ନୂଆଦିଲ୍ଲୀ,୧୨।୩: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏଲନ ମସ୍କଙ୍କ କମ୍ପାନୀ SpaceX ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହା ଅଧୀନରେ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ।
ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଜିଓର ପ୍ରତିଦ୍ୱନ୍ଦ୍ୱୀ ଭାରତୀ ଏୟାରଟେଲ ମଧ୍ୟ ଷ୍ଟାରଲିଙ୍କ ସହିତ ସମାନ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଏହି ଦୁଇଟି ଚୁକ୍ତି ଭାରତ ସରକାରଙ୍କ ଅନୁମୋଦନ ଅଧୀନରେ ରହିଛି। ସରକାରଙ୍କ ଅନୁମୋଦନ ପାଇବା ପରେ ହିଁ ଷ୍ଟାରଲିଙ୍କ ଭାରତରେ ଏହାର ସେବା ଆରମ୍ଭ କରିପାରିବ।
ଜିଓ ପ୍ଲାଟଫର୍ମ ଅନୁଯାୟୀ, ଏହା ତାର ଖୁଚୁରା ଷ୍ଟୋର ଏବଂ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଷ୍ଟାରଲିଙ୍କ ଡିଭାଇସଗୁଡ଼ିକ ଉପଲବ୍ଧ କରାଇବ। ଏହା ବ୍ୟତୀତ, ଜିଓ ଗ୍ରାହକମାନଙ୍କୁ ସଂସ୍ଥାପନ ଏବଂ ବୈଷୟିକ ସହାୟତା ମଧ୍ୟ ଯୋଗାଇବ, ଯାହା ଦାରା ସାଟେଲାଇଟ ଇଣ୍ଟରନେଟ ସୁଗମ ଭାବରେ ବ୍ୟବହାର କରାଯାଇପାରିବ।
ଏହା ଉଲ୍ଲେଖନୀୟ ଯେ, ପୂର୍ବରୁ ଭାରତରେ ସାଟେଲାଇଟ ସ୍ପେକ୍ଟ୍ରମ ଆବଣ୍ଟନକୁ ନେଇ ଜିଓ ଏବଂ SpaceX ମଧ୍ୟରେ ବିବାଦ ହୋଇଥିଲା। ରିଲାଏନ୍ସ ଜିଓ ସ୍ପେକ୍ଟ୍ରମ ନିଲାମକୁ ନେଇ ବିବାଦ ଦେଖାଦେଇଥିଲା। ଶେଷରେ ଭାରତ ସରକାର ଏଲନ ମସ୍କଙ୍କ ସପକ୍ଷରେ ରାୟ ଦେଲେ ଏବଂ ବିଶ୍ୱସ୍ତରୀୟ ଅଭ୍ୟାସ ଅନୁଯାୟୀ ସିଧାସଳଖ ସ୍ପେକ୍ଟ୍ରମ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଲେ।
ଏହି ଚୁକ୍ତିନାମା ପରେ, ଭାରତରେ ଡିଜିଟାଲ ସଂଯୋଗର ଏକ ନୂତନ ଯୁଗ ଆରମ୍ଭ ହୋଇପାରିବ। ଷ୍ଟାରଲିଙ୍କ ଭଳି ସାଟେଲାଇଟ ଇଣ୍ଟରନେଟ ସେବା ଦୁର୍ଗମ ଗ୍ରାମାଞ୍ଚଳରେ ଇଣ୍ଟରନେଟ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।