Categories: ବାଣିଜ୍ୟ

ରିଲାଏନ୍ସ ଜିଓର ପ୍ରଥମ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୧।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସଂସ୍ଥା ରିଲାଏନ୍ସ ଜିଓର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ଏପ୍ରିଲରୁ ଜୁନ୍‌ ତ୍ରୈମାସରେ ରିଲାଏନ୍ସ ଜିଓର ନେଟ୍‌ ଲାଭ ୧୨.୧%ର ବୃଦ୍ଧି ସହ ୪୮୬୩ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ତ୍ରୈମାସରେ ଜିଓର ନେଟ୍‌ ଲାଭ ୪୩୩୫ କୋଟି ଟଙ୍କା ରହିଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସରେ ରିଲାଏନ୍ସ ଜିଓର ମୋଟ ଆୟ ପୂର୍ବ ବର୍ଷର ସମାନ ଅବଧି ମଧ୍ୟରେ ରହିଥିବା ୨୧,୯୯୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୪,୧୨୭କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଏହି ତ୍ରୈମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୯.୯% ବୃଦ୍ଧି ସହ ୨୪,୦୪୨ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୧,୮୭୩ କୋଟିି ରହିଥିଲା।
ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ଦେଶର ସର୍ବବୃହତ୍‌ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ସ୍ଥାନ ସୁଦୃଢ଼ କରିବା ସହ ସାରା ଦେଶରେ ୫ଜି ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି। ନିକଟରେ ଦେଶର ପ୍ରାୟ ୨୫କୋଟି ୨ଜି ମୋବାଇଲ ସେବା ବ୍ୟବହାରକାରୀଙ୍କୁ ୪ଜି ସେବାକୁ ଉନ୍ନୀତ ହେବା ସୁଯୋଗ ପ୍ରଦାନ କରିବା ସହ ଜିଓ ଭାରତ ୪ଜି ଫିଚର ଫୋନ ଶୁଭାରମ୍ଭ କରିଛି।

Share