ନୂଆଦିଲ୍ଲୀ,୨୨ା୧୦: ରିଲାଏନ୍ସ ଜିଓ ଇନ୍ଫୋକମ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ ସହ ବାର୍ଷିକ ଭିତ୍ତିରେ କମ୍ପାନୀର ନେଟ୍ ଲାଭ ୨୮% ବୃଦ୍ଧି ଘଟିଛି। ସେହିଭଳି ଗତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ କମ୍ପାନୀର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୦.୨% ବୃଦ୍ଧି ପାଇ ୨୨,୫୨୧ କୋଟି ଟଙ୍କା ହୋଇଛି। ଗତ ବର୍ଷର ଏହି ସମୟ ମଧ୍ୟରେ ପରିଚାଳନାଗତ ରାଜସ୍ବ ପରିମାଣ ୧୮,୭୩୫ କୋଟି ଟଙ୍କା ଥିଲା।
ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ଦେଶରେ ବଡ଼ ଧରଣର ୫ଜି ମୁତୟନ ଜାରି ରଖିଛି, ଯାହା ଭାରତରେ ହାଇସ୍ପିଡ୍ ଇଣ୍ଟରନେଟ୍ର ଏକ ନୂଆ ଯୁଗ ଆରମ୍ଭ କରିବ। ଚଳିତ ମାସରେ ଜିଓ ପକ୍ଷରୁ ଦେଶର ୪ଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀର କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ ନେଇ ୫ଜି ସେବାର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି।