Categories: ବାଣିଜ୍ୟ

ଫ୍ୟୁଚର ଗ୍ରୁପ୍‌ରେ ଅଂଶଧନ କିଣିପାରେ ରିଲାଏନ୍ସ

ନୂଆଦିଲ୍ଲୀ,୨୭।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁକେଶ ଅମ୍ବାନୀ ବର୍ତ୍ତମାନ ଚର୍ଚ୍ଚାରେ ରହି ଆସିଛନ୍ତି। ରିଟେଲ କାରବାରରେ ନିଜର ଉପସ୍ଥିତିକୁ ଦୃଢ କରିବା ଲାଗି ରିଲାଏନ୍ସ ଫ୍ୟୁଚର ଗ୍ରୁପ୍‌ରେ ଅଂଶଧନ କିଣିପାରେ ବୋଲି କୁହାଯାଉଛି। କିଶୋର ବିୟାନୀଙ୍କ ମାଲିକାନାରେ ପରିଚାଳିତ ଫ୍ୟୁଚର ଗ୍ରୁପ୍‌ରେ ଅଂଶଧନ କ୍ରୟ କରିବା ଲାଗି ରିଲାଏନ୍ସ ଡିଲ୍‌ର ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଏଭଳି ମଧ୍ୟ କୁହାଯାଉଛି ଯେ, ମୁକେଶ ଅମ୍ବାନୀ ଫ୍ୟୁଚର ଗ୍ରୁପ୍‌କୁ ସମ୍ପୂର୍ଣ୍ଣ ଅଧିଗ୍ରହଣ କରିପାରନ୍ତି। ନିୟମ ଏବଂ ସର୍ତ୍ତକୁ ନେଇ ଦୁଇ କମ୍ପାନୀ ମଧ୍ୟରେ ସହମତି ହୋଇଥିବା ଜଣାପଡିଛି। ଶୀଘ୍ର ଏହି ଡିଲ୍‌ ସମ୍ପର୍କରେ ଘୋଷଣା ହୋଇପାରେ। ରିଲାଏନ୍ସ ଗ୍ରସେରି, ଫ୍ୟାଶନ ଏବଂ ନିତ୍ୟବ୍ୟବହାର ଯୋଗ୍ୟ ସାମଗ୍ରୀ କ୍ଷେତ୍ରରେ ନିଜର ଏକ ଦୃଢ ବଜାର ସ୍ଥିତି ଚାହୁଁଛି। ନିକଟରେ ଏହା ଜିଓ ମାର୍ଟ ପ୍ଲାଟ୍‌ଫର୍ମକୁ ମଧ୍ୟ ଆରମ୍ଭ କରିଛି। ଡିଲ ଚୂଡାନ୍ତ ହେଲେ ଫ୍ୟୁଚର ରିଟେଲ, ଫ୍ୟୁଚର ଲାଇଫଷ୍ଟାଇଲ ଫ୍ୟାଶନ ଏବଂ ଫ୍ୟୁଚର ସପ୍ଲାଇଚେନ୍‌ ସଲ୍ୟୁଶନର ବିଲୟ ହେବ। ଏହିସବୁ କମ୍ପାନୀ ଉପରେ ମୁକେଶ ଅମ୍ବାନୀଙ୍କ ମାଲିକାନା ଆସିଯିବ ବୋଲି କୁହାଯାଉଛି। ଫ୍ୟୁଚର ଗ୍ରୁପ୍‌କୁ କ୍ରୟ କରିବା ଲାଗି ଆମାଜନ ମଧ୍ୟ ନଜରରେ ରଖିଥିଲା। ହେଲେ ଚୂଡାନ୍ତ ଡିଲ୍‌ ରିଲାଏନ୍ସ ସପକ୍ଷରେ ଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Share