Categories: ବାଣିଜ୍ୟ

ଡେଟା ସେଣ୍ଟର ବ୍ୟବସାୟରେ ରିଲାଏନ୍ସ

ଭୁବନେଶ୍ୱର,୨୭।୭: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ନିକଟରେ ବ୍ରୁକ୍‌ଫିଲ୍‌ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହ ଦ୍ୱିପାକ୍ଷିକ ସହଭାଗିତା ଓ ନିବେଶ ଆଦି ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଭାରତରେ ଡାଟା ସେଣ୍ଟର ବିକାଶ ପାଇଁ ଆର୍‌ଆଇଏଲ୍‌ ଉଭୟ ବ୍ରୁକ୍‌ଫିଲ୍‌ଡ ଓ ଡିଜିଟାଲ ରିଆଲିଟିର ଭାରତରେ ରହିଥିବା କମ୍ପାନୀଗୁଡ଼ିକର ୩୩.୩୩% ଅଂଶଧନକୁ କିଣିବ ବୋଲି ସୂଚନା ମିଳିଛି।

ଏପରିକି ପ୍ରସ୍ତାବିତ ଉକ୍ତ ନିବେଶର ମୂଲ୍ୟ ୩୭୮ କୋଟି ଟଙ୍କା ରହିଥିଲାବେଳେ ଆବଶ୍ୟକତା ଅନୁସାରେ ତାହା ପ୍ରାୟ ୬୨୨ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ବୋଲି ଜଣାପଡ଼ିଛି। ଏହି କାରବାର ବର୍ତ୍ତମାନ ରେଗୁଲେଟରି ଅନୁମୋଦନ ଅପେକ୍ଷାରେ ରହିଥିବାବେଳେ ପ୍ରାୟ ୩ ମାସ ଅବଧି ମଧ୍ୟରେ ତାହା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି। ସେହିଭଳି ଭାରତରେ ଡିଜିଟାଲ ରିଆଲିଟି ଟ୍ରଷ୍ଟ ଏବଂ ବ୍ରୁକ୍‌ଫିଲ୍‌ଡ ଇନ୍‌ଫ୍ରାଷ୍ଟ୍ରକ୍ଚରର ମିଳିତ ଉଦ୍ୟୋଗ ଡିଜିଟାଲ ସେବା କମ୍ପାନୀଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ ମୌଳିକ ଢାଞ୍ଚାର ବିକାଶ କରୁଛନ୍ତି। ଏହି ମିଳିତ ଉଦ୍ୟୋଗ ଉଚ୍ଚ ଗୁଣବତ୍ତାସମ୍ପନ୍ନ ଏବଂ ସଂଯୁକ୍ତ ତଥା ଆବଶ୍ୟକତା ମୁତାବକ ବୃଦ୍ଧି ହୋଇପାରୁଥିବା ଡେଟା ସେଣ୍ଟର ନିର୍ମାଣ କରୁଛି।

ଏହି ସହଭାଗିତା ସହିତ ରିଲାଏନ୍ସ ଉକ୍ତ ସଂଯୁକ୍ତ ଉଦ୍ୟମର ଏକ ସମାନ ଅଂଶୀଦାର ହେବାକୁ ଯାଉଛି। ଏହି ନୂଆ ମିଳିତ ଉଦ୍ୟୋଗର ନାମ ଡିଜିଟାଲ କନେକ୍ସନ- ଏ ବ୍ରୁକ୍‌ଫିଲ୍‌ଡ, ଜିଓ ଓ ଡିଜିଟାଲ ରିଆଲିଟି କମ୍ପାନୀ ରହିବ। ଏପରିକି ଏହି ମିଳିତ ଉଦ୍ୟୋଗ ସମ୍ପ୍ରତି ଚେନ୍ନାଇ ଓ ମୁମ୍ବାଇର ପ୍ରମୁଖ ସ୍ଥାନରେ ଡେଟା ସେଣ୍ଟର ବିକଶିତ କରୁଛି। ବିଶେଷକରି ଚେନ୍ନାଇରେ ୧୦୦ ମେଗାୱାଟ୍‌ ପରିସରର ଏହି ମିଳିତ ଉଦ୍ୟୋଗ ପ୍ରଥମ ୨୦ ମେଗାୱାଟ୍‌ ଗ୍ରୀନ୍‌ଫିଲ୍‌ଡ ଡେଟା ସେଣ୍ଟର ୨୦୨୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ସେହିପରି ୪୦ମେଗାୱାଟ୍‌ ଡେଟା ସେଣ୍ଟର ନିର୍ମାଣ ପାଇଁ ମୁମ୍ବାଇରେ କମ୍ପାନୀ ୨.୧୫ ଏକର ଜମି ଅଧିଗ୍ରହଣ ନେଇ ଘୋଷଣା କରିଥିଲା। ଏ ସମ୍ପର୍କରେ ଜିଓ ପ୍ଲାଟ୍‌ଫର୍ମ ଲିମିଟେଡ୍‌ର ସିଇଓ କିରଣ ଥୋମାସ କହିଛନ୍ତି, ଆମେ ଡିଜିଟାଲ ରିଆଲିଟି ଏବଂ ଆମର ବର୍ତ୍ତମାନର ବିଶ୍ୱସନୀୟ ସହଯୋଗୀ ବ୍ରୁକ୍‌ଫିଲ୍‌ଡ ସହିତ ସହଭାଗିତା ନେଇ ବେଶ୍‌ ଉତ୍ସାହିତ ଅଛୁ।

Share