Categories: ବାଣିଜ୍ୟ

ଜେଭିରେ ୧୧,୫୦୦ କୋଟି ବିନିଯୋଗ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୨୯।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌, ଭାୟାକମ୧୮ ମଡିଆ ପ୍ରାଇଭେଟ ଲିମିଟେଡ୍‌ ଏବଂ ୱାଲ୍ଟ ଡିଜ୍‌ନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ(ଜେଭି) ଗଠନ କରିବା ନେଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହି କାରବାରର ଏକ ଅଂଶ ଭାବେ ଭାୟାକମ୧୮ର ମିଡିଆ ସଂସ୍ଥା ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କୋର୍ଟ ଅନୁମୋଦିତ ଯୋଜନା ଜରିଆରେ ମିଶ୍ରିତ ହେବ। ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଏହି ମିଳିତ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ୧୧,୫୦୦ କୋଟି ଟଙ୍କା ନିବେଶ କରାଯିବାକୁ ନିଷ୍ପତ୍ତି କରାଯାଇଛି। ଏପରିକି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମିଳିତ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ନିୟନ୍ତ୍ରଣରେ ରହିବ, ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ୧୬.୩୪% ମାଲିକାନା, ଭାୟାକମ୧୮ର ୪୬.୮୨% ଏବଂ ଡିଜ୍‌ନିର ୩୬.୮୪% ମାଲିକାନା ରହିବ। ସେହିଭଳି ଆବଶ୍ୟକୀୟ ନିୟାମକ ଓ ତୃତୀୟ ପକ୍ଷ ଅନୁମୋଦନ ଅନୁଯାୟୀ ଡିଜ୍‌ନି ମଧ୍ୟ ଏହି ମିଳିତ ଉଦ୍ୟୋଗରେ ନିର୍ଦ୍ଦିଷ୍ଟ ଅତିରିକ୍ତ ମିଡିଆ ଆସେଟ ଯୋଗଦାନ କରିପାରେ ବୋଲି ଆଶା କରାଯାଉଛି। ଅପରପକ୍ଷରେ ନୀତା ଏମ୍‌. ଅମ୍ବାନୀ ଏହି ମିଳିତ ଉଦ୍ୟୋଗର ଅଧ୍ୟକ୍ଷା ଏବଂ ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବେ ମିଳିତ ଉଦ୍ୟୋଗକୁ ରଣନୀତିକ ମାର୍ଗଦର୍ଶନ କରିବେ। ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି, ଏହା ଏକ ଯୁଗାନ୍ତକାରୀ ଚୁକ୍ତି ହୋଇଥିଲାବେଳେ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଏକ ନୂତନ ଯୁଗର ପ୍ରାରମ୍ଭ କରିଛି। ଏପରିକି ଆମେ ସର୍ବଦା ଡିଜନିକୁ ବିଶ୍ୱସ୍ତରରେ ସର୍ବୋତ୍ତମ ମିଡିଆ ଗୋଷ୍ଠୀ ଭାବେ ସମ୍ମାନ ଦେଇଆସିଛୁ। ସେହିଭଳି ୱାଲ୍ଟ ଡିଜନିର ସିଇଓ ବବ ଆଇଗର କହିଛନ୍ତି, ଭାରତ ହେଉଛି ବିଶ୍ୱର ସବୁଠାରୁ ଜନ ବହୁଳ ବଜାର ଏବଂ ଏହି ମିଳିତ ଉଦ୍ୟୋଗ କମ୍ପାନୀ ପାଇଁ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରିବାର ସୁଯୋଗ ପାଇଁ ଆମେ ବେଶ ଉତ୍ସାହିତ ଅଛୁ। ଭାରତୀୟ ବଜାର ଏବଂ ଉପଭୋକ୍ତା ବିଷୟରେ ରିଲାଏନ୍ସର ଗଭୀର ଅଭିଜ୍ଞତା ରହିଛି ଏବଂ ମିଳିତ ଭାବେ ଆମେ ଦେଶର ଏକ ଅଗ୍ରଣୀ ମିଡିଆ କମ୍ପାନୀ ସୃଷ୍ଟି କରିବୁ, ଯାହା ଡିଜିଟାଲ ସେବା ଏବଂ ମନୋରଞ୍ଜନ ଓ କ୍ରୀଡା ବିଷୟବସ୍ତୁର ଏକ ବ୍ୟାପକ ସମ୍ଭାର ସହିତ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ସକ୍ଷମ କରିବ।

Share