ଭୁବନେଶ୍ୱର,୨୪।୮: ରାଜ୍ୟର ପ୍ରମୁଖ ଜିଲାର ବିଭିନ୍ନ ବ୍ଲକ ଚଳିତ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ। ବନ୍ୟାପାଣି ବିପଦ ସଙ୍କେତ ତଳେ ଥିଲାବେଳେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଭାରତ ମସଲା ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ବିଶେଷକରି ବାଙ୍କୀ,ନିମାପଡ଼ା ଓ ଗୋଡ଼ା ଅଞ୍ଚଳର ୩୦୦୦ରୁ ଅଧିକ ବନ୍ୟା ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା। ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ନିମାପଡ଼ା ଓ ଗୋଡ଼ା ଅଞ୍ଚଳରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ସିଂ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଓ ଭାରତ ମସଲାର କର୍ମଚାରୀ ଉପସ୍ଥିତ ରହି ରିଲିଫ ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ। ସେହିଭଳି ବାଙ୍କୀରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଏବଂ ଭାରତ ମସଲା କର୍ମଚାରୀ ଏବଂ ଅଞ୍ଚଳବାସୀ ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ସେହିପରି ଦୀର୍ଘ ୧୯ ବର୍ଷ ଧରି ବନ୍ୟା, ବାତ୍ୟା କିମ୍ବା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ମସଲା ସର୍ବଦା ଓଡ଼ିଶାବାସୀଙ୍କୁ ସହାୟତାର ହାତ ବଢ଼ାଇଛି ଏବଂ ଉକ୍ତ ପ୍ରଚେଷ୍ଟା ଆଗାମୀ ଦିନରେ ଜାରି ରହିବ ବୋଲି ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି।