ନୂଆଦିଲ୍ଲୀ,୨୦।୧: ଦିଲ୍ଲୀ-ଏନ୍ସିଆର ସମେତ ଉତ୍ତର ଭାରତରେ ଶୀତ ଲହରୀରୁ ଆଶ୍ୱସ୍ତି ମିଳିଛି। ଆସନ୍ତା କିଛି ଦିନ ଥଣ୍ଡା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫.୬ଡିଗ୍ରୀ ରହିଥିଲା। ସେହିପରି ଉତ୍ତର ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଏବଂ ହରିୟାଣା ଓ ପୂର୍ବ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨.୫ସେଲ୍ସିୟସ ମଧ୍ୟରେ ରହିଛି। ଶୁକ୍ରବାର ସୁଦ୍ଧା ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ଡିଗ୍ରୀ ସେଲ୍ସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ପର ସପ୍ତାହରେ ମଧ୍ୟ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦିନରେ ଲୋକମାନେ ଶୀତଲହରୀରୁ ଆଶ୍ୱସ୍ତି ପାଇପାରିବେ। ଅନ୍ୟପଟେ ଜାନୁଆରୀ ୨୦ରୁ ୨୨ମଧ୍ୟରେ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।