ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଦରଦାମ୍‌ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଯାହା ଅର୍ଥନୀତିର ସମସ୍ୟାକୁ ଦୂର କରିବ। ସେ ସୂଚାଇ ଦେଇଛନ୍ତି ଯେ ଦରଦାମ୍‌ ହ୍ରାସ ପାଇବା ପରେ ଆରବିଆଇର କଠୋର ମୁଦ୍ରା ନୀତି ନିଷ୍ପତ୍ତି ନେବାର ଆଉ ଆବଶ୍ୟକତା ରହିବ ନାହିଁ।

ଆରବିଆଇ ଗଭର୍ନର କହିଛନ୍ତି ଯେ ବର୍ତ୍ତମାନ ଯୋଗାଣ କ୍ଷେତ୍ରରେ ସୁଧାର ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଏପ୍ରିଲରୁ ଜୁନ ମଧ୍ୟରେ ଅର୍ଥନୀତିର ଏକ ଭଲ ପୁନରୁଦ୍ଧାରକୁ ସୂଚାଉଛି। ଆମେ ଆଶା କରୁଛୁ ୨୦୨୨-୨୩ର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ମଧ୍ୟମ ହେବ।

ଯୋଗାଣ ଶୃଙ୍ଖଳା ସମସ୍ୟା, ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ରୁଷିଆର ଆକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ହନ୍ତସନ୍ତ ହେଉଛନ୍ତି। ଏହିସବୁ କାରଣରୁ, ଭାରତର ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ଆରମ୍ଭରୁ ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତ ଉପରେ ରହିଛି। ଯେଉଁଥିପାଇଁ ଆରବିଆଇକୁ ରେପୋ ହାରକୁ ୯୦ ଆଧାର ପଏଣ୍ଟରେ ବୃଦ୍ଧି କରିବାକୁ ପଡିଛି। ଇତିମଧ୍ୟରେ ଆରବିଆଇ ଏହାର ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୫.୭ ପ୍ରତିଶତରୁ ୬.୭ ପ୍ରତିଶତକୁ ବୃଦ୍ଧି କରିଛି।

ଅଗଷ୍ଟରେ ଆରବିଆଇର ମୁଦ୍ରା ନୀତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଅନେକ ବିଶେଷଜ୍ଞ ଆରପିଆଇର ରେପୋ ହାର ବୃଦ୍ଧି କରିବାର ଆଶଙ୍କା ପ୍ରକାଶ କରୁଛନ୍ତି। କିନ୍ତୁ ଆରବିଆଇ ଗଭର୍ନରଙ୍କ ସଦ୍ୟତମ ବିବୃତ୍ତି ଯୋଗୁ ଏଭଳି ଭୟ ଦୂର ହୋଇପାରେ ବୋଲି କୁହାଯାଉଛି।

Share