Categories: ଜାତୀୟ

ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି: କୋର୍ଟରେ ମନ୍ତବ୍ୟ ବଦଳାଇଲେ ବଳାତ୍କାର ଅଭିଯୋଗ ଆଣିଥିବା ଛାତ୍ରୀ

ଲକ୍ଷ୍ନୌ, ୧୪।୧୦: ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଚିନ୍ମୟାନନ୍ଦ ଓରଫ୍‌ କୃଷ୍ଣପାଳ ସିଂଙ୍କୁ ବଳାତ୍କାର ମାମଲାରେ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ୨୩ ବର୍ଷ ବୟସ୍କା ଆଇନ ଛାତ୍ରୀ ନିଜର ମନ୍ତବ୍ୟ ବଦଳାଇବାରୁ ସମ୍ପୃକ୍ତ ଛାତ୍ରୀଙ୍କ ଉପରେ ସିଆର୍‌ପିସି ଧାରା ୩୪୦ ଅନ୍ତର୍ଗତ ମାମଲା ରୁଜୁ ପାଇଁ ସରକାରୀ ଆଇନଜୀବୀ ଅଭୟ ତ୍ରିପାଠିଙ୍କ ପକ୍ଷରୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସ୍ବତନ୍ତ୍ର କୋର୍ଟ ବିଚାରପତି ପଓ୍ବନ କୁମାର ରାୟ ଏହି ଆବେଦନକୁ ଗ୍ରହଣ କରିବା ସହିତ ଉଭୟ ପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର(ଅକ୍ଟୋବର ୧୫) କରାଯିବ ବୋଲି ବିଚାରପତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବଳାତ୍କାର ଅଭିଯୋଗରେ ୭୨ ବର୍ଷ ବୟସ୍କ ଚିନ୍ମୟାନନ୍ଦଙ୍କୁ ୨୦୧୯ ସେପ୍ଟେମ୍ବର ୨୦ରେ ଗିରଫ କରାଯାଇଥିଲା। ୨୦୨୦ ଫେବୃୟାରୀରେ ତାଙ୍କୁ ସସର୍ତ୍ତ ଜାମିନ୍‌ ମିଳିଥିଲା। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ବିଚାର ସ୍ପତନ୍ତ୍ର କୋର୍ଟରେ ଜାରି ରହିଥିଲା। ଚିନ୍ମୟାନନ୍ଦଙ୍କ ଦ୍ୱାରା ସ୍ଥାପିତ ଏକ ଶିକ୍ଷାନୁଷ୍ଠାନରେ ଆଇନ ପାଠ୍ୟକ୍ରମ ଏଲ୍‌ଏଲ୍‌ଏମ୍‌ରେ ଅଧ୍ୟୟନ କରୁଥିବା ଛାତ୍ରୀ ୨୦୧୯ ସେପ୍ଟେମ୍ବର ୫ରେ ଦିଲ୍ଲୀର ଲୋଧୀ କଲୋନୀ ଥାନାରେ ତାଙ୍କ ବିରୋଧରେ ଏକ ବର୍ଷଧରି ବଳାତ୍କାର କରିଥିବା ମାମଲା ଦାଏର କରିଥିଲେ।

Share