Categories: ଜାତୀୟ

ଶଶି ଥରୁର୍‌ଙ୍କୁ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରୁ ଖଲାସ…

ନୂଆଦିଲ୍ଲୀ,୧୮।୮: ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ତାଙ୍କୁ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦିଲ୍ଲୀ ପୋଲିସ ଧାରା ୪୯୮-ଏ ଏବଂ ୩୦୬ ଅନୁଯାୟୀ ଥରୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କିନ୍ତୁ ତାଙ୍କୁ ଗିରଫ କରି ନ ଥିଲା। ୨୦୧୮ ଜୁଲାଇ ୫ରେ ଥରୁରଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଦିଲ୍ଲୀ ପୋଲିସ ଏବଂ ଥରୁରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏପ୍ରିଲ ୧୨ରେ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ କୋର୍ଟଙ୍କର ଏହି ଆଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଦାଲତର ଏହି ଆଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ସାତ ବର୍ଷ ପୁରୁଣା ମାମଲାରେ କଂଗ୍ରେସ ନେତା ଶଶି ଥରୁର ତାଙ୍କ ସ୍ତ୍ରୀ ସୁନନ୍ଦା ପୁଷ୍କରଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇ ନ ଥିଲେ। ୨୦୧୪ ଜାନୁୟାରୀ ୧୭ ରାତିରେ ପୁଷ୍କରଙ୍କ ଏଠାରେ ଥିବା ଏକ ହୋଟେଲରେ ମୃତଦେହ ମିଳିଥିଲା। ଥରୁରଙ୍କ ଅଫିସିଆଲ ବଙ୍ଗଳାର ସାଜସଜ୍ଜା କାର୍ଯ୍ୟ ଚାଲିଥିବାରୁ ଦୁହେଁ ସମ୍ପୃକ୍ତ ହୋଟେଲରେ ରହିଥିଲେ।

Share