ନିର୍ବାଚନ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କର

ଭୁବନେଶ୍ୱର,୩୦୯(ଅନିଲ ଦାସ): ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ରହିଛି। ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ନ ଦେବା ଲାଗି ଭାରତର ନିର୍ବାଚନ କମିଶନ(ଇସିଆଇ) ଶୁକ୍ରବାର ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି। ଯେଉଁମାନେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ସେହି ଦାୟିତ୍ୱରୁ ଅବ୍ୟାହତି ଦେବାକୁ କମିଶନ କହିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ସେମାନେ କେବଳ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ଉପରେ ଅଧିକ ଫୋକସ କରିବାକୁ ନିର୍ବାଚନ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ତାଙ୍କ କାର୍ଯ୍ୟାଳୟର ଅନ୍ୟ ଅଫିସରମାନଙ୍କୁ ବଦଳି କରିବା କିମ୍ବା ସେମାନଙ୍କୁ ଅତିରିକ୍ତ ଦାୟିତ୍ୱ ଦେବା ପୂର୍ବରୁ କମିଶନଙ୍କ ଅନୁମତି ଆଣିବାକୁ କୁହାଯାଇଛି। ଏହି ଚିଠି ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ନିକୁଞ୍ଜ ଧଳଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରୁ ସରକାର ମୁକ୍ତ କରିପାରନ୍ତି।

Share