ଦେଶରେ ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ ଉପରୁ କେବେ ପରଦା ଉଠିନାହିଁ। ଏମିତି ଏକ ମନ୍ଦିର ଗୁଜୁରାଟର ମେହସାଣା ଜିଲାରେ ଅଛି। ଏହି ମନ୍ଦିରରେ ଦେବୀ ବହୁଚରା ମାତା ପୂଜା ପାଆନ୍ତି। ଦେଶବିଦେଶରୁ କିନ୍ନର ଏଠାକୁ ଆସି ବହୁଚରା ମାତାଙ୍କୁ ଅର୍ଦ୍ଧନାରୀଶ୍ୱର ରୂପରେ ପୂଜା କରନ୍ତି। ଏହାସହ ମାତାଙ୍କୁ ମାନସିକ କରିଥାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବହୁଚରା ମାତା ଏକାଥରରେ ଅନେକ ରାକ୍ଷସଙ୍କୁ ସଂହାର କରିଥିଲେ। ଏହି କାରଣରୁ ଦେବୀଙ୍କ ନାମ ବହୁଚରା ଦିଆଯାଇଛି। ମାତାଙ୍କ ମନ୍ଦିରକୁ କିନ୍ନର କାହିଁକି ଆସନ୍ତି ଏହାପଛରେ ମଧ୍ୟ ଏକ ପ୍ରଚଳିତ କାହାଣୀ ରହିଛି। ବହୁଚରା ଦେବୀଙ୍କୁ ପୂଜା କଲେ ପରଜନ୍ମରେ କିନ୍ନର ହୋଇ ଜନ୍ମ ନେବେ ନାହିଁ ବୋଲି କଥିତ ଅଛି। ଏହି କାରଣରୁ ଏଠାକୁ ଅନେକ ସଂଖ୍ୟାରେ କିନ୍ନର ଆସିଥାନ୍ତି।