Categories: ଜାତୀୟ

‘କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୩୧।୧୦: କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ମାମଲାର ବିଚାର ବେଳେ କହିଛନ୍ତି। ଏଥିସହିତ ଅଦାଲତ ଏକ ଦମ୍ପତିଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ରିପୋର୍ଟ ଅନୁଯାୟୀ ମହିଳା ଜଣକ ମୁସଲମାନ ହୋଇଥିବାବେଳେ ସେ ବିବାହର ମାସେ ପୂର୍ବରୁ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହି ଦମ୍ପତି ପୋଲିସ ସୁରକ୍ଷା ପାଇଁ ରିଟ୍‌ ପିଟିଶନ ଦାଏର କରିଥିଲେ। ଆବେଦନର ବିଚାର କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ମହେଶ ଚନ୍ଦ୍ର ତ୍ରିପାଠୀ କହିଥିଲେ, କେବଳ ବିବାହ ଉଦ୍ଦେଶ୍ୟରେ ଧର୍ମାନ୍ତରୀକରଣ କରାଯାଇଥିବା ସ୍ପଷ୍ଟ ହେଉଛି। ଏଭଳି ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ ୨୦୧୪ରେ ଏକ ମାମଲାର ବିଚାର କରି ରାୟ ଦେଇଥିବା ଜଷ୍ଟିସ୍‌ ତ୍ରିପାଠୀ ସୂଚାଇବା ସହ ପିଟିଶନକୁ ଖାରଜ କରିଦେଇଥିଲେ। ଧର୍ମ ଦ୍ୱାରା ଅନୁପ୍ରାଣିତ ନ ହୋଇ ବିବାହକୁ ଏଡାଇବା କିମ୍ବା ଧର୍ମ ଉପରେ ବିଶ୍ୱାସ ନ ଥାଇ କୌଣସି ସୁବିଧା ପାଇବା ପାଇଁ ହେଉଥିବା ଧର୍ମାନ୍ତରୀକରଣ ପ୍ରାମାଣିକ ନୁହେଁ। ଧର୍ମାନ୍ତରୀକରଣ ପାଇଁ ହୃଦୟରେ ପରିବର୍ତ୍ତନ ଆସିବା ଆବଶ୍ୟକ।

Share