Categories: ଜାତୀୟ

ଧାର୍ମିକ ସ୍ବତନ୍ତ୍ରତା ଆଇନ ହେଲା କଠୋର, ଉଲ୍ଳଂଘନ କଲେ ୫ ବର୍ଷ ଜେଲ୍‌-ଏକ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ଶିମଲା, ୧୩।୮ : ହିମାଚଳ ସରକାର ଧାର୍ମିକ ସ୍ବତନ୍ତ୍ରତା ଆଇନ ଅଧିନିୟମ -୨୦୧୯କୁ କଡାକଡି କରିବାକୁ ଯାଉଛନ୍ତି। ଫ୍ରିଡମ ଅଫ ରିଲିଜିୟନ ସଂଶୋଧନ ବିଲ -୨୦୨୨ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ହୋଇଥିଲା। ଶନିବାର ଏହି ବିଲ ପାରିତ ହୋଇଛି।

ଏହା ଅନ୍ତର୍ଗତ ଯଦି ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ସଂରକ୍ଷିତ ବର୍ଗର ଲୋକମାନେ ସେମାନଙ୍କର ଧର୍ମ ପରିବର୍ତ୍ତନ କରନ୍ତି, ତେବେ ସେମାନେ କୌଣସି ପ୍ରକାରର ସଂରକ୍ଷଣ ପାଇବେ ନାହିଁ।ଏହା ବ୍ୟତୀତ, ଯଦି ସେମାନେ ଧର୍ମପରିବର୍ତ୍ତନର ବିଷୟ ଲୁଚାଇ ସଂରକ୍ଷଣ ସୁବିଧା ନିଅନ୍ତି, ତେବେ ଏପରି ପରିସ୍ଥିତିରେ ସେମାନଙ୍କୁ ତିନି ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡରେଦଣ୍ଡିତ କରାଯିବ ଏବଂ ୫୦ ହଜାର ରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ।

ସଂଶୋଧିତ ବିଲ ପାସ ହେବାପରେ ରାଜ୍ୟରେ ଏଣିକି ବିବାହ ସମୟରେ ଜବରଦସ୍ତ, ମିଥ୍ୟା ତଥ୍ୟ ପ୍ରଦାନ ଏବଂ ସମ୍ପ୍ରଦାୟ ସମ୍ପର୍କରେ ତଥ୍ୟ ଲୁଚାଇବା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି। ସଂଶୋଧିତ ଆଇନର ବ୍ୟବସ୍ଥା ଅନୁଯାୟୀ, ବଳ ପୂର୍ବକ ଧର୍ମ ପରିବର୍ତ୍ତନ କ୍ଷେତ୍ରରେ ୭ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କରାଯିବ। ସଂଶୋଧିତ ଆଇନର ଡ୍ରାଫ୍ଟ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଅନ୍ୟ ଧର୍ମରେ ବିବାହ କରନ୍ତି ଏବଂ ଏପରି ବିବାହ ସମୟରେ ନିଜର ମୂଳ ଧର୍ମକୁ ଲୁଚାନ୍ତି ତେବେ ତିନି ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ। ଏହି ନିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିଛି। ଫ୍ରିଡମ ଅଫ ରିଲିଜିୟନ ଅଧିନିୟମ ଅନୁଯାୟୀ ଗ୍ରହଣ କରାଯାଇଥିବା କୌଣସି ଅଭିଯୋଗ ପୋଲିସର ସବ-ଇନ୍ସପେକ୍ଟର ପଦବୀରୁ କମ ଅଧିକାରୀଙ୍କ ଦ୍ୱାରା ଅନୁସନ୍ଧାନ କରାଯିବ ନାହିଁ। ଏହାର ଶୁଣାଣି କୋର୍ଟରେ ହେବ।

 

Share