ଭୋଗରେ ଧର୍ମୀୟ ଭାବନା

ସେପ୍ଟେମ୍ବର ୧୮(୨୦୨୪)ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଲେ, ତିରୁପତି ତିରୁମାଲା ମନ୍ଦିରରେ ଲଡୁ ପ୍ରସାଦ ତିଆରିରେ ଗାଈଘିଅ ସାଙ୍ଗରେ ଗୋରୁ ଓ ଘୁଷୁରିର ତରଳ ଚର୍ବି ବ୍ୟବହାର ହେବା ଆରମ୍ଭ ହୋଇଛି ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡିଙ୍କ ସମୟରୁ। ସୁପ୍ରିମକୋର୍ଟ ୩୦ ତାରିଖରେ ତାଗିଦକଲେ ନାଇଡୁ ଧର୍ମକୁ ରାଜନୀତିର ଊର୍ଦ୍ଧ୍ୱରେ ରଖନ୍ତୁ। ଇତିମଧ୍ୟରେ ମନ୍ଦିରର ଶୋଧନ ସହ ଘିଅକୁଣ୍ଡ, ଭଣ୍ଡାରଘର, ରୋଷେଇଶାଳା ତଥା ବାସନକୁସନ ଆଦିର ଶୁଦ୍ଧୀକରଣ କରାଯାଇଛି। ଧର୍ମରେ ବ୍ୟବସାୟ ପଶିଲେ ଧନ ଆଗରେ ଭକ୍ତି ମାଡ଼ ଖାଇଯାଏ। ବସ୍ତୁ ଓ ମନ ଭିତରେ ଅପମିଶ୍ରଣ ପଶେ, ଭଗବାନ୍‌ ଓ ଭକ୍ତଙ୍କ ଭିତରେ ପୂଜକ ଏବଂ ବ୍ୟବସାୟୀ ଏପରି ପରିସ୍ଥିତି ଆଣନ୍ତି। ସବୁ କାଳେ ମଧ୍ୟସ୍ଥ ନିଜର ଧନଲାଭକୁ ସର୍ବୋଚ୍ଚ ସ୍ତରରେ ରଖେ।
ଶ୍ରୀମଦ୍‌ ଭଗବଦ୍‌ ଗୀତା ରଚନା ସମୟରେ ଭାରତ ଭୂଖଣ୍ଡରେ ‘କୁଳଧର୍ମାଃ ସନାତନାଃ’ (ଅଧ୍ୟାୟ ୧, ଶ୍ଲୋକ ୪୦: ସଂକ୍ଷେପରେ ୧.୪୦) ଛଡ଼ା ଆଉ କୌଣସି ଧର୍ମ ନ ଥିଲା। ଯେଉଁ ଯୁଦ୍ଧରେ ବଂଶର ଗୁରୁଜନମାନଙ୍କୁ ହତ୍ୟାକରିବାକୁ ପଡ଼ିବ ଓ ସେମାନଙ୍କ ଅବର୍ତ୍ତମାନରେ କୁଳଧର୍ମ ଉଚ୍ଛନ୍ନ ହେଲେ ନରକବାସ ନିଶ୍ଚିତ (୧.୪୪) ବୋଲି କହି ଅର୍ଜୁନ ଅସ୍ତ୍ର ତ୍ୟାଗ କରିବାରୁ ଶ୍ରୀକୃଷ୍ଣ ତାଙ୍କୁ ଯାହା ସବୁ ବୁଝାଇଥିଲେ ତାହା ହିଁ ଗୀତାରେ ବର୍ଣ୍ଣିତ ହୋଇଛି। ସେହି କ୍ରମରେ ୯ମ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି, ତାଙ୍କୁ କ’ଣ ଦେଇ ପୂଜା କରିବ। ଭକ୍ତି ସହକାରେ ପତ୍ର, ପୁଷ୍ପ, ଫଳ ତଥା ଜଳ ଅର୍ପଣ କଲେ ସେ ଗ୍ରହଣ କରିବେ। ”ପତ୍ରଂ ପୁଷ୍ପଂ ଫଳଂ ତୋୟଂ ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି: ତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରୟତାତ୍ମନଃ।“ ୯.୨୬। ଯାହା କିଛି କରୁଛ, ଯାହା କିଛି ଖାଉଛ, ଯାହା କିଛି ଦେଉଛ ସେସବୁ ତାଙ୍କଠାରେ ଅର୍ପଣକର (୯.୨୭), ତା’ ହେଲେ ଉପାସକ ଉପରେ ଅଶୁଭ ଫଳ ପଡ଼ିବ ନାହିଁ (୯.୨୮)। (ରକ୍ଷଣଶୀଳ ପରିବାରରେ ବୟସ୍କମାନେ ବଢ଼ାହୋଇଥିବା ଖାଦ୍ୟଥାଳି ଚାରିପଟେ ପାଣି ଛଡ଼ାଇ ଠାକୁରଙ୍କୁ ଅର୍ପଣକରନ୍ତି, ପରେ ହିଁ ପାଟିକୁ ନିଅନ୍ତି।) ଯିଏ ତାଙ୍କୁ ଭକ୍ତି ନ କରେ ତା’ ଉପରେ ରାଗନ୍ତି ନାହିଁ, ସର୍ବଭୂତାନି (ସବୁ ଲୋକଙ୍କୁ) ସେ ସମଦୃଷ୍ଟିରେ ଦେଖନ୍ତି, ଭକ୍ତ ବୋଲି ତାହାକୁ ବେଶି ଅନୁଗ୍ରହ ଦେଖାନ୍ତି ନାହିଁ। (୯.୨୯); ଅଧର୍ମୀ ବି ତାଙ୍କର ପ୍ରିୟ। (ଗୀତା ରଚନା ସମୟରେ ଗୀତା ରଚୟିତା ଭାରତରେ ଦୁଇ ରକମର ମଣିଷ ଦେଖିଛନ୍ତି, ଭଗବାନ୍‌ଙ୍କ ଠାରେ ସମର୍ପିତ ଲୋକ ଓ ଭଗବାନ୍‌ଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ। ଏହି କାରଣରୁ ସନାତନ ଧର୍ମ ଅନ୍ୟ ଧର୍ମ ପ୍ରତି ଅସୂୟା ଭାବ ରଖେ ନାହିଁ, ଭକ୍ତ ଓ ଅଭକ୍ତ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖେ, ଭୋଗ କି ପ୍ରକାର ହେବ ତା’ ଉପରେ ଜୋର୍‌ ନ ଦେଇ ଅର୍ପଣ କରୁଥିବା ଲୋକର ଭକ୍ତି ଉପରେ ଜୋର୍‌ ଦିଏ। ଭୋଗ ଦେଉଥିବା ଲୋକକୁ ଭଲପାଇବେ ଆଉ ଭୋଗରାଗ ନ ଦେଉଥିବା ଲୋକକୁ ଘୃଣା କରିବେ ବା ସେମାନଙ୍କ ଉପରେ ଶ୍ରୀକୃଷ୍ଣ ରାଗିବେ ଏ କଥା ଭାବିବା ଭୁଲ୍‌। ହୃଦୟ ବା ମନ ଯାହା କହୁଛି ତା’ ଦେଲେ, ବଦଳରେ କିଛି ଆଶା କରୁ ନ ଥିଲେ, ଭଗବାନ୍‌ ତା’ ଗ୍ରହଣ କରନ୍ତି। ଏତେ ସବୁ ବୁଝାଇ ସାରିଲା ପରେ ଶ୍ରୀକୃଷ୍ଣ କହିନାହାନ୍ତି, ମୋତେ କେବଳ ପୂଜା କର। ୟଥେଚ୍ଛାସି ତଥା କୁରୁ, ତୁମେ କ’ଣ କରିବ ଠିକ୍‌ କର। (୧୮.୬୩)। ଯେଉଁମାନେ ଅନ୍ୟ ଦେବଦେବୀଙ୍କୁ ପୂଜା କରନ୍ତି ସେମାନେ ପ୍ରକୃତରେ ଭଗବାନ୍‌ଙ୍କୁ ପୂଜା କରନ୍ତି, କିନ୍ତୁ ଭୁଲ୍‌ ବାଟରେ, ଅବିଧିପୂର୍ବକଂ (୯.୨୩) ବୋଲି ସେ କହିଛନ୍ତି।
ଘର ଅପେକ୍ଷା ମନ୍ଦିରରେ ପୂଜାକରିବା ବେଶି ଫଳ ଦିଏ ବୋଲି ଲୋକବିଶ୍ୱାସ ଆସିଯାଇଛି କାହିଁକି? ସବୁବେଳେ ପୂଜାପାଠ ଚାଲିଥାଏ ବୋଲି ମନ୍ଦିର ବେଶି ପବିତ୍ର ଲାଗେ। ଘର ଭିତରେ ଥିବା ମନ୍ଦିର ଭଳି ସ୍ଥାନରେ ସଦାସର୍ବଦା ପୂଜାପାଠ ହୁଏ ନାହିଁ, ତେଣୁ ମନ୍ଦିରଠାରୁ ଅଳ୍ପ ଶାନ୍ତ ପରିବେଶ। ପୂଜାପୂଜି ଏକ ସାମ୍ପ୍ରଦାୟିକ – ସାମୂହିକ ପଙ୍‌କ୍ତି ଭିତରେ – ହେଉଥିବାରୁ ବାତାବରଣ ତ୍ୟାଗ ଓ ପବିତ୍ରତା ଆଣିଦିଏ। କିନ୍ତୁ ପୂଜକମାନେ ସେହି ବାତାବରଣକୁ ଏକ ପାରିବାରିକ ବ୍ୟବସାୟ ରୂପେ ଗ୍ରହଣ କରିନେଇଛନ୍ତି। ସେମାନଙ୍କ ପାଖରେ ଗ୍ରାହକର ଧର୍ମଭାବ ତୁଚ୍ଛ। ଧର୍ମରେ ଭଗବତ୍‌ ପ୍ରାପ୍ତି, ବ୍ୟବସାୟରେ ଧନ ପ୍ରାପ୍ତି – ତେଣୁ ବିପରୀତ ଦିଗରେ ମଣିଷର ଆଚରଣ! ପୁରୀ ଶ୍ରୀମନ୍ଦିରରେ ୫୦ରୁ ୬୦ହଜାର ଲୋକଙ୍କ ପାଇଁ ମହାପ୍ରସାଦ ରାନ୍ଧିବାରେ ଓ ଦୀପ ଜାଳିବାରେ ହାରାହାରି ୪୦୦ରୁ ୫୦୦ ପନ୍ଦରକିଲିଆ ଘିଅ ଟିଣ କିଣାଯାଏ। ତିରୁପତି ତିରୁମାଲାରେ ପ୍ରତିଦିନ ପ୍ରାୟ ଲକ୍ଷେ ଲଡୁ ତିଆରି କରିବା ପାଇଁ (୪ରୁ ୬ ଲଡୁ କିଲେ ଘିଅ ଖାଏ) ୨୫ ହଜାର କିଲୋ ଗାଈଘିଅ ଦରକାର। ପ୍ରାୟ ୫ ଲିଟର କ୍ଷୀରରୁ କିଲେ ଘିଅ ବାହାରେ, ଦୁଧିଆଳି ଗାଈଟିଏ ୧୦ ଲିଟର କ୍ଷୀର ଦେଉଥିଲେ, ଘିଅ ବରାଦ ନେଇଥିବା ଠିକାଦାର ୧୨,୫୦୦ ଦୁଧିଆଳି ଗାଈଙ୍କୁ ଖୋଜିବ, ତା’ ଅସମ୍ଭବ ହେଲେ ଅଭାବକୁ ଅପମିଶ୍ରଣ ଦ୍ୱାରା ପୂରଣ କରିବ, ନ ହେଲେ ତା’ ବ୍ୟବସାୟ ଭୁଶୁଡ଼ି ପଡ଼ିବ। (ପୁଣି ଦୀପ ଜାଳିବାର ଘିଅ କଥା ଅଛି।) ପ୍ରସାଦର ଗୁଣ ପରୀକ୍ଷା କରିବା ଅଧିକାରୀମାନେ ଏ ସତ୍ୟର ସାମ୍ନା କରିବେ। ଟଙ୍କା ଯେ ସମସ୍ତଙ୍କର ମୁହଁ ବଙ୍କା କରିପାରେ! (ମନ୍ଦିରାଧିକାରୀଙ୍କ, ତେଣୁ ପୂଜକର ବି!)
ଯଦି ଈଶ୍ୱର ନିରାକାର ତେବେ ଜମିବାଡ଼ି ନଷ୍ଟକରି ମନ୍ଦିର, ମସ୍‌ଜିଦ, ଗିର୍ଜା ତିଆରି କରିବା କ’ଣ ଦରକାର? ଆଲ୍ଲା ବା ମେସିହା ଦେବଦୂତ ବା ଆଞ୍ଜେଲ କାହିଁକି ତିଆରି କଲେ, ସେମାନଙ୍କୁ ତ ଭଗବାନ୍‌ ଯାହା ବତାଇଥିବେ ସେମାନେ ସେଇୟା କରିବେ, ସେମାନଙ୍କ ଇଚ୍ଛା ନାହିଁ କି ଭୋକ ନାହିଁ। ଯଦି ଭଗବାନ୍‌ ମଣିଷକୁ ଜନ୍ମକଲେ କେବଳ ତାଙ୍କୁ ପୂଜା କରିବା ପାଇଁ, ତେବେ ମଣିଷ ତ ଗୋଟିଏ ରୋବଟ୍‌ ହୋଇଗଲା, ତା’ର ବୁଦ୍ଧି କାହିଁକି ଦରକାର? ଲୋକେ ଆରତି ଥାଳିରେ ଟଙ୍କା ପଇସା ପକାନ୍ତି ପୂଜକ ନେବା ପାଇଁ, ହୁଣ୍ଡିରେ ବହୁ ମୂଲାବାନ୍‌ ଜିନିଷ ପକାନ୍ତି, ତାହା ତ ଭଗବାନ ନେବେ ନାହିଁ। ସୁନା ରୁପା ଟଙ୍କା ଭୋଗ ଥାଳିରେ ପକାଇ ପୂଜା କରିବାକୁ ଦିଆଯାଏ ଜାଣିଶୁଣି ଯେ କେବଳ ଭୋଗଟା ଫେରିଆସିବ ପ୍ରସାଦ ହୋଇ; ଯାହାକୁ ଯିଏ ଦେଇଥିଲା ସିଏ ବା ତା’ ପରିବାର ଲୋକେ ଓ ପଡ଼ିଶାମାନେ ଖାଇବେ। ଭକ୍ତମାନେ ଲଡୁ ଦେଇ ନ ଥାନ୍ତି, ପୂଜକମାନେ ଦେଇଥାନ୍ତି, ସେପରି ସାମଗ୍ରୀ କିପରି ପ୍ରସାଦ ହେବ! ଭକ୍ତ ତ ଲଡୁ ଅର୍ପଣ କରିନାହିଁ! ପୂଜକମାନେ ଅଜଣା ଲୋକମାନଙ୍କ ପାଇଁ ଲଡୁ କାହିଁକି ତିଆରି କରନ୍ତି – ବ୍ୟବସାୟ ପାଇଁ ଓ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ, ପୂଜକମାନେ ବଂଶାନୁକ୍ରମେ ରୋଜଗାର ପାଇ ପାରିବେ ବୋଲି। ବେଶି ପଇସା ମିଳିଲେ କମ୍ପାନୀ (କର୍ପୋରେଟ୍‌ ହାଉସ୍‌) ଭଳି ମନ୍ଦିରର ପରିଚାଳନା ହେବ, ଲୋକଙ୍କ ଦାନ ମ୍ୟୁଚୁଆଲ ଫଣ୍ଡ ଭଳି ମିଶି ମିଶି ବହୁ କୋଟି ଟଙ୍କା ହେବ, ମନ୍ଦିରର ପରିଚାଳକମାନେ ମ୍ୟୁଚୁଆଲ ଫଣ୍ଡର ମ୍ୟାନେଜର ଭଳି ବଡ଼ ବଡ଼ ପ୍ରକଳ୍ପରେ ସେ ଟଙ୍କା ଲଗାଇବେ। ବେଶିରୁ ବେଶି ଲଡୁ କଲେ ଉପାଦାନଗୁଡ଼ିକର ଅଭାବ ହେବ ହିଁ ହେବ, ଅପମିଶ୍ରଣ ନ କଲେ ଯଥେଷ୍ଟ ଯୋଗାଇ ହେବନାହିଁ। ନିଜ ରୂପରେ ଗଢ଼ିଥିବା ମଣିଷକୁ ଈଶ୍ୱର ହିଁ ତ ଏ ବୁଦ୍ଧି ଦେଇଛନ୍ତି, ସେ ମାନବୀୟ ଲୀଳା କରୁଥିଲେ ଅପମିଶ୍ରିତ ଲଡୁ ସବୁକୁ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଫୋପାଡ଼ିଦିଅନ୍ତେ!
sahadevas@yahoo.com
ମୋ: ୯୩୩୭୧୦୩୫୪୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri