ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜଧାନୀରେ ପୁଣି ଚଳଚଞ୍ଚଳ ହେବ ମନ୍ଦିର ବେଢ଼ା। କୋଭିଡ୍ ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଉଠିଥିବା ପାଚେରି ଭାଙ୍ଗିବ। ଦେବଦେବୀଙ୍କ ଦର୍ଶନ କରି ଶ୍ରଦ୍ଧାଳୁମାନେ ପୁଣି ଥରେ ଆଶୀର୍ବାଦ ଭିକ୍ଷା କରିପାରିବେ। ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଆସନ୍ତା ୧୨ ତାରିଖଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ମଙ୍ଗଳବାର ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ରହିଛି। ମାତ୍ର ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ସେହିପରି ଭଗବାନଙ୍କ ପାଖରେ ଭକ୍ତ ଭୋଗ ଲଗାଇ ପାରିବେ ନାହିଁ। ୧୫ ବର୍ଷରୁ କମ୍ ବୟସର ପିଲା ପରିଚୟପତ୍ର ଦେଖାଇ କିମ୍ବା ଅଭିଭାବକଙ୍କ ସହ ମନ୍ଦିରକୁ ଯାଇପାରିବେ। ତେବେ ବରିଷ୍ଠ ନାଗରିକ ଓ ଗର୍ଭବତୀଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅପରପକ୍ଷେ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ପାଇଁ ମଧ୍ୟ ଗାଇଡ୍ଲାଇନ୍ ଜାରି ହୋଇଛି। ମନ୍ଦିରକୁ ଏକସଙ୍ଗେ ୧୦୦ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ରହିଥିବାବେଳେ ସେମାନେ ସିଂହଦ୍ୱାରଠାରୁ ଆଡକାଠ ପର୍ଯ୍ୟନ୍ତ ଯାଇପାରିବେ। ସାହାଣ ଦର୍ଶନ ଓ ଗର୍ଭଗୃହ ଦର୍ଶନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମନ୍ଦିର ସମେତ ଅନ୍ୟାନ୍ୟ ଧର୍ମାନୁଷ୍ଠାନଗୁଡିକ ମଧ୍ୟ ଉକ୍ତ ଦିନ ଖୋଲାଯିବ। ୨ଟି ଡୋଜ ଟିକା ନେଇଥିବା ପୂଜକ, ସେବାୟତ ହିଁ ମନ୍ଦିରରେ ରହିପାରିବେ। ସେହିପରି ଧର୍ମାନୁଷ୍ଠାନରେ ପ୍ରବେଶ ସମୟରେ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ। ଧର୍ମାନୁଷ୍ଠାନର ପରିସରରେ ପାନ, ଗୁଟ୍ଖା ଖାଇବା ନିଷେଧ କରାଯାଇଛି। ସମସ୍ତ ଧର୍ମାନୁଷ୍ଠାନ ବାହାରେ ସାନିଟାଇଜର ରହିବା ବାଧ୍ୟତାମୂଳକ। କରୋନା ଲକ୍ଷଣ ଥିଲେ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ। ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।