ଭୁବନେଶ୍ୱରରେ ୨୩ରୁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର, ୧୦।୮ (ବ୍ୟୁରୋ): ଆସନ୍ତା ୨୩ ତାରିଖରୁ ରାଜଧାନୀରେ ମନ୍ଦିର ଓ ଧର୍ମାନୁଷ୍ଠାନ କଟକଣା ମଧ୍ୟରେ ଖୋଲିବ। କରୋନା ସ୍ଥିତି ତଥା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ଏନେଇ ଅନୁମତି ଦେବା ସହ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲେ ହେଁ ଗର୍ଭଗୃହକୁ ଯାଇପାରିବେ ନାହିଁ। ମୁହଁରେ ମାସ୍କ ପିନ୍ଧି କେବଳ ଠାକୁରଙ୍କୁ ଦର୍ଶନ କରିବେ। ଏପରି କି ଭୋଗ ଓ ନୈବେଦ୍ୟ ଅର୍ପଣ କରିପାରିବେ ନାହିଁ। ଶ୍ରଦ୍ଧାଳୁଙ୍କ ମଧ୍ୟରେ ୬ଫୁଟର ଦୂରତା ରହିବା ସହ ମନ୍ଦିର, ଚର୍ଚ୍ଚ, ମସ୍‌ଜିଦ୍‌, ଗୁରୁଦ୍ୱାରାଗୁଡିକରେ ଏକା ସାଙ୍ଗରେ ୨୫ଜଣ ଶ୍ରଦ୍ଧାଳୁଙ୍କୁ ଭିତରକୁ ଯିବାକୁ ଅନୁମତି ରହିଛି। ସେହିଭଳି ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ସହିତ ଦ୍ୱିତୀୟ ଡୋଜ୍‌ ଟିକାକରଣ ସାର୍ଟିଫିକେଟ ଥିବା ସେବାୟତ, କର୍ମକର୍ତ୍ତାଙ୍କୁ ଧର୍ମାନୁଷ୍ଠାନରେ ଠାକୁରଙ୍କ ନୀତିକାର୍ଯ୍ୟ କରିବାକୁ ଅନୁମତି ମିଳିବ। ସମସ୍ତ ସେବାୟତ କଟକଣାକୁ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷମାନେ ପ୍ରବେଶ ଓ ପ୍ରସ୍ଥାନ ପଥରେ ଶ୍ରଦ୍ଧାଳୁଙ୍କ ହାତ ଧୋଇବା କିମ୍ବା ସାନିଟାଇଜ କରିବା ବ୍ୟବସ୍ଥା କରିବେ। ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ଛେପ ପକାଇବା କିମ୍ବା ପାନ, ଗୁଟ୍‌ଖା ଖାଇବା ନିଷେଧ କରାଯାଇଛି। ସେହିପରି ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା, ବୟସ୍କ ଏବଂ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର ତଥା ଧର୍ମାନୁଷ୍ଠାନକୁ ଯିବାକୁ ବାରଣ କରାଯାଇଛି।
ଅନ୍ୟପକ୍ଷରେ ଉକ୍ତ ଦିନଠାରୁ ଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ ସେ ନେଇ ମନ୍ଦିର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇ ପାରିବେ। ଏକା ସାଙ୍ଗରେ ୧ଶହ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ସେଠାରେ ମଧ୍ୟ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ପାଇଁ ଅନୁମତି ନାହିଁ। କୌଣସି ସେବାୟତ ଭକ୍ତଙ୍କୁ ନେଇ ଗର୍ଭଗୃହରେ ଦର୍ଶନ କରାଇ ପାରିବେ ନାହିଁ। ଭିଡ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ମନ୍ଦିର ପାର୍ଶ୍ୱରେ ବ୍ୟାରିକେଡ ସହ ଅନାଧିକାର ପ୍ରବେଶକୁ ରୋକିବା ପାଇଁ ପୋଲିସ ମୁତୟନ କରାଯିବ। କୌଣସି ସ୍ଥାନରେ ଏହାର ଖିଲାପ ହେଲେ ସମ୍ପୃକ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆସନ୍ତା ୨୩ରୁ ରାଜଧାନୀ ଭୁବନେଶ୍ୱରରେ ମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତା ପ୍ରସ୍ତାବ ଦେଇଥିଲେ।

Share