ନୂଆଦିଲ୍ଲୀ,୧୩।୨ : ଜମାଏତ୍ ଉଲେମା-ଇ-ହିନ୍ଦ୍ର ୩୩୪ତମ ସାଧାରଣ ଅଧିବେଶନ ଚାଲିଥିବାବେଳେ ଏହାର ଅଧ୍ୟକ୍ଷ ସୟେଦ ଅର୍ଶାଦ ମଦାନି ଏକ ବିବାଦୀୟ ମନ୍ତବ୍ୟ ଦେବାରୁ ଅନେକ ଧର୍ମୀୟ ନେତା ମଞ୍ଚ ଛାଡ଼ି ଚାଲିଯାଇଛନ୍ତି। ମଞ୍ଚରେ ଉପସ୍ଥିତ ଥିବା ଜୈନ ମୁନି ଆଚାର୍ଯ୍ୟ ଲୋକେଶ ମୁନି ପ୍ରମୁଖ ମଦାନିଙ୍କ ମନ୍ତବ୍ୟରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, କେବଳ ସଦ୍ଭାବର ସହ ବଞ୍ଚତ୍ବା ଉପରେ ଆମେ ସହମତ; କିନ୍ତୁ ଓଁ, ଆଲ୍ଲା ଏବଂ ମନୁ ଆଦିକୁ ନେଇ କାହାଣୀ ବେକାର କଥା।
ମଦାନି ଅଧିବେଶନର ବାତାବରଣକୁ ନଷ୍ଟ କରିଦେଲେ ବୋଲି ସେମାନେ ମତ ଦେଇଛନ୍ତି। ଏହା ପୂର୍ବରୁ ଜମାଏତ୍ ଉଲେମା-ଇ-ହିନ୍ଦ୍ର ମୁଖ୍ୟ ମଦାନି ଧର୍ମଗୁରୁମାନଙ୍କୁ ପ୍ରଶ୍ନ କରିଥିଲେ, ଯେତେବେଳେ ଶ୍ରୀରାମ କିମ୍ବା ବ୍ରହ୍ମା କି ଶିବ ନ ଥିଲେ, ସେତେବେଳେ ମନୁ କାହାକୁ ପୂଜା କରୁଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ମଦାନି କହିଥିଲେ, ସେ ଶୁଣିଛନ୍ତି, ସେମାନେ ଓଁକୁ ପୂଜା କରୁଥିଲେ। ଏହା କେବଳ ଓଁ, ଯାହାଙ୍କୁ ଆମେ ଆଲ୍ଲା ଏବଂ ପାର୍ସି ଭାଷାଭାଷୀମାନେ ଖୁଦା ଏବଂ ଇଂଲିଶ କହୁଥିବା ଲୋକେ ‘ଗଡ୍’ କହିଥାନ୍ତି। ତେଣୁ ଓଁ ଏବଂ ଆଲ୍ଲା ଉଭୟ ସମାନ। ମନୁ କେବଳ ଏହାକୁ ହିଁ ଉପାସନା କରୁଥିଲେ ବୋଲି ମଦାନି କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା।