କେନ୍ଦ୍ରାପଡ଼ା, ୨୦ା୮(ଜଗନ୍ନାଥ ଧଳ)ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ କେନ୍ଦ୍ରାପଡ଼ା ଜିଲାରେ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ପରିବେଶ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହାକୁ ଏକ ଶିଳ୍ପର ମାନ୍ୟତା ପାଇଁ ଉଦ୍ୟମ ହୋଇନାହିଁ। ପର୍ଯ୍ୟଟନ ସହିତ କର୍ମନିଯୁକ୍ତିକୁ ଯୋଡ଼ିବାକୁ ସ୍ଥାନୀୟ ପ୍ରଶାସକ ଓ ରାଜନେତା ସମ୍ବେଦନଶୀଳ ନୁହନ୍ତି। ଜାତୀୟ ଉଦ୍ୟାନ ଭିତରକନିକାର ସାମୁଦ୍ରିକ ଉଦ୍ୟାନରେ ବିରଳ ଅଲିଭ ରିଡ୍ଲେ କଇଁଛ, ଡଲ୍ଫିନ, ବିଦେଶାଗତ ପକ୍ଷୀଙ୍କ ସମାହାର ହେଉଥିବା ବେଳେ ଏହାକୁ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର ହେଉନାହିଁ। ଧାର୍ମିକ ସ୍ଥଳର ଉନ୍ନତୀକରଣର ଆବଶ୍ୟକତା ଥିବା ବେଳେ ବିଭିନ୍ନ କାରଣରୁ ଭିତରକନିକା ଜାତୀୟ ଉଦ୍ୟାନ ମାନ୍ୟତାରୁ ବଞ୍ଚତ୍ତ ହେବା ସମ୍ଭାବନା ଦେଖାଦେଇଛି।
ସମ୍ପର୍କରେ ସାମାଜିକ କର୍ମୀ ଗୌତମ କୁମାର ବେହେରା କହିଛନ୍ତି, ଇଚ୍ଛାପୁରର ଶ୍ରୀବଳଦେବଜୀଉ, ସହରର ଗୋବିନ୍ଦଜୀଉ, ତମାଳଶାସନର ଦଧିବାମନଜୀଉ, ସନ୍ଥପୁରାର ଶିବମନ୍ଦିର, ଆଳିର ଲକ୍ଷ୍ମୀବରାହଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା ବତୀଘର ଆଦିକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ଜିଲାରେ ପର୍ଯ୍ୟଟନ ସ୍ଥଳ ବୋଲି ଅଧିକାଂଶ ଜିଲାବାସୀ ଅଜ୍ଞାତ ଅଛନ୍ତି। ପ୍ରଚାର ପ୍ରସାର ସହ ପର୍ଯ୍ୟଟନ ସ୍ଥଳକୁ ଭଲ ରାସ୍ତା ନାହିଁ। ଗୋପ, ମଥୁରା, ବୃନ୍ଦାବନ ଆଦି ଅଞ୍ଚଳରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସମ୍ପର୍କରେ ବୈଷୟିକ ଜ୍ଞାନକୌଶଳରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି, ଯାହା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଛି। ଏହି ଜିଲାରେ ମଧ୍ୟ ଶ୍ରୀବଳଦେବଜୀଉଙ୍କ ବିଭିନ୍ନ ଲୀଳାକୁ ପ୍ରଦର୍ଶନ କରାଯାଇ ଆର୍ଥିକ ବିକାଶ କରାଯାଇ ପାରିବ। ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, ରାଜନଗର ବ୍ଲକ ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର ମନ୍ଦିର, ସିକୋର ଅଷ୍ଟଶମ୍ଭୁ, ଡେରାବିଶର ଦଧିବାମନଜୀଉ, ପଟ୍ଟାମୁଣ୍ଡାଇର ଛୁଆଳିଆ ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳ ମାନ୍ୟତା ଅପେକ୍ଷାରେ ଅଛି। ଏହା ବ୍ୟତୀତ ଜିଲାର ବିଭିନ୍ନ ସ୍ଥାନରେ ଥିବା ମତ୍ସେନ୍ଦ୍ରନାଥ, ଶୈଳନାଥ ସମାଧି, ଇଚ୍ଛନାଥ ସମାଧି ସହ ବୌଦ୍ଧଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିରଚକ୍ର ମଞ୍ଜୁଶ୍ରୀ, ଅବଲୋକିତ୍ତିଶ୍ୱର, ତାରା ଆଦି ମୂର୍ତ୍ତିର ରକ୍ଷଣାବେକ୍ଷଣ ନାହିଁ। ଏହା ବ୍ୟତୀତ ପୁରୁଣା ବସ୍ଷ୍ଟାଣ୍ଡରେ ଥିବା ଡାଇମଣ୍ଡ ଜୁବିଲି ପାଠାଗାର, ସୂର୍ଯ୍ୟଘଡ଼ି, ନୋଳସାହି ରାଜ ନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅର ଆଦି ଏହି ଜିଲାରେ ଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଅବହେଳାର ଶିକାର ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନରେ କେନ୍ଦ୍ରାପଡ଼ା ଜିଲା ସାମିଲ ହେବା ସହିତ ଐତିହ୍ୟ ସାମଗ୍ରୀ ରଖିବା ପାଇଁ ମ୍ୟୁଜିୟମ ଆବଶ୍ୟକ। ଅଧ୍ୟାପକ କ୍ଷିତୀଶ କୁମାର ସିଂହ କହିଛନ୍ତି, ଭିତରକନିକାର ଲୁଣା ଧଳା କୁମ୍ଭୀର ଗୋରୀ ଓ ଅଲିଭ ରିଡ୍ଲେ କଇଁଛ ଓଲି ମାସ୍କଟ ଭାବେ ବ୍ୟବହାର ହୋଇଛି। ଇକୋ ରିଟ୍ରିଟ୍ ଆୟୋଜନ କରାଯାଇ ଏହି ଜାତୀୟ ଉଦ୍ୟାନ ପ୍ରତି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ବର୍ଷସାରା ଜାତୀୟ ଉଦ୍ୟାନ ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ। ମଧୁରପାଣିର ଅଭାବ, ତଟକ୍ଷୟ, ଚିଙ୍ଗୁଡ଼ିଘେରି, ଭିତରକନିକା ଆଭ୍ୟନ୍ତର ଅଞ୍ଚଳରୁ ଲୋକବସତିକୁ ସ୍ଥାନାନ୍ତର, ଇକୋ ସେନ୍ସେଟିଭ ଜୋନ୍ର ପରିଚାଳନା ଆଦିରେ ଛନ୍ଦି ହୋଇଛି। ପ୍ରଶାସକ ଓ ରାଜନେତା ଏଥିପ୍ରତି ସମ୍ବେଦନଶୀଳ ନୁହନ୍ତି। ଫଳରେ ଭିତରକନିକା ୨୦୧୭ରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇପାରି ନ ଥିବା ବେଳେ ଏବେ ଜାତୀୟ ଉଦ୍ୟାନ ମାନ୍ୟତା ହରାଇବାକୁ ଯାଉଛି। ଶିକ୍ଷାବିତ୍ ଭୁବନମୋହନ ଜେନା କହିଛନ୍ତି, ଜିଲାର ଆର୍ଥିକ ବିକାଶରେ ପର୍ଯ୍ୟଟନ ଶିଳ୍ପ ସହାୟକ ହୋଇପାରିବ। ଧାର୍ମିକ ପୀଠର ଉନ୍ନତୀକରଣ ଓ ପ୍ରଚାର ପ୍ରସାରର ଆବଶ୍ୟକତା ଅଛି। ସେହିପରି ପ୍ରାକୃତିକ ପରିବେଶର ଉପଯୋଗ ଦରକାର। ଗାଇଡ୍, ଫଟୋଗ୍ରାଫି, କୁଟୀର ଶିଳ୍ପର ମଣ୍ଡିଠାରୁ ଆରମ୍ଭ କରି ବେଳାଭୂମିକୁ ପର୍ଯ୍ୟଟକ ଉପଯୋଗୀ ଭିତ୍ତିଭୂମିର ବିକାଶ ଦ୍ୱାରା ଜିଲାର ଅର୍ଥନୈତିକ ବିକାଶ ହେବ। ମହୁ, ଝୁଣା ଆଦି ବନଜାତ ଦ୍ରବ୍ୟକୁ ଯୁବବର୍ଗଙ୍କ କର୍ମନିଯୁକ୍ତି ସହ ଯୋଡ଼ିବାକୁ ପଡ଼ିବ। ବିଶ୍ୱବିଦ୍ୟାଳୟ ଏବଂ ଗବେଷଣାଗାର ସାମୁଦ୍ରିକ ଓ ବନ୍ୟଜୀବ ସମ୍ପର୍କରେ ଶିକ୍ଷାକୁ ପ୍ରୋତ୍ସାହିତ କରିବ। ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ସହ ସରକାରୀ ପ୍ରୋତ୍ସାହନରେ ଜିଲାର ବିଭବକୁ ଅଧିକ ପ୍ରଚାର ପ୍ରସାର କରାଗଲେ ଆର୍ଥିକ ବିକାଶ ହୋଇପାରିବ।