ଅଂଶୁଘାତର ପ୍ରତିକାର

ଚିକିତ୍ସା ଶାସ୍ତ୍ର ମତାନୁଯାୟୀ ଛୋଟ ପିଲାମାନଙ୍କ ଶରୀରରେ ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନାଇଟ(୩୬.୬ଡିଗ୍ରୀ ସେଲସିୟସ୍‌)ରୁ ୯୯ ଡିଗ୍ରୀ ଫାରେନାଇଟ (୩୭.୨ଡିଗ୍ରୀ ସେଲସିୟସ୍‌) ଏବଂ ପ୍ରାପ୍ତ ବୟସ୍କ (୬୫ ବର୍ଷରୁ ଅଧିକ) ଲୋକଙ୍କଠାରେ ହାରାହାରି ତାପମାତ୍ରା ୯୮.୭ ଡିଗ୍ରୀ ଫାରେନାଇଟ(୩୭ ଡିଗ୍ରୀ ସେଲସିୟସ୍‌) ରହିବା ଉଚିତ। ଜଳବାୟୁର ପରିବର୍ତ୍ତନ ହେତୁ ତାପମାତ୍ରା ବୃଦ୍ଧି ପାଇବା ସହ ଶରୀରରେ ସ୍ବାଭାବିକ ସ୍ଥିତି ବିଗିଡ଼ି ଯାଇ ବେଳେବେଳେ ସୁସ୍ଥ ବ୍ୟକ୍ତି ନିମ୍ନ ରକ୍ତଚାପ, ନିଃଶ୍ୱାସ ପ୍ରଶ୍ୱାସରେ ପ୍ରଖରତା, ନାଡ଼ିର ଗତି ବୃଦ୍ଧି ପାଇବା, ପରିସ୍ରାର ପରିମାଣ କମି ହଳଦିଆ ବର୍ଣ୍ଣ ହେବା ସହ ଶରୀରର ମାଂସପେଶୀ ଅକୁଞ୍ଚନ ହେବା ସହ ଯନ୍ତ୍ରଣା ଅନୁଭବ ହେବା, ମୁଣ୍ଡ ବିନ୍ଧିବା, ଦୁର୍ବଳ ଲାଗିବା ଆଦି ଅଂଶୁଘାତର ଲକ୍ଷଣ ଦେଖାଦେଇଥାଏ। ରୋଗୀର ପରିସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ତୁରନ୍ତ ଚିକିତ୍ସା କେନ୍ଦ୍ରକୁ ନେଇ ଡାକ୍ତରଙ୍କ ପରାମର୍ଶରେ ରୋଗୀର ଉପଶମ କରାଇବା ଆବଶ୍ୟକ।
ସାଧାରଣତଃ ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି, ମଧୁମେହ, ଯକ୍ଷ୍ମାରେ ସଂକ୍ରମିତ ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା, ବୃଦ୍ଧ ବୃଦ୍ଧା, ଗର୍ଭବତୀ, ଖରାରେ ଅଧିକ ସମୟ ରହି କାର୍ଯ୍ୟ କରୁଥିବା ବ୍ୟକ୍ତି, ଅଧିକ ମୋଟା ଥିବା ବ୍ୟକ୍ତି, ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଗ୍ରୀଷ୍ମ ଋତୁରେ ଅଧିକ ସତର୍କତା ଅଲମ୍ବନ କରିବା ନିହାତି ଜରୁରୀ। ନଚେତ ଅଂଶୁଘାତ ହେବାର ଅଧିକ ଆଶଙ୍କା ରହିଥାଏ।
ସାମ୍ପ୍ରତିକ ପରିସ୍ଥିତିରେ ଦିନକୁ ଦିନ ପ୍ରତିବର୍ଷ ସୂର୍ଯ୍ୟଙ୍କ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାର ପରିଲକ୍ଷିତ ହେଉଛି। ଜଙ୍ଗଲରୁ ବୃକ୍ଷ ହ୍ରାସ ପାଇବା, କଳକାରଖାନା ଏବଂ ଗଁା ଆଦିରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ଜଳବାୟୁରେ ଉତ୍ତାପ ବୃଦ୍ଧି ଘଟିଥାଏ। ଯଦ୍ଦ୍ବାରା ଜଳବାୟୁରେ ଅସ୍ବାଭାବିକ ଗରମ ଅନୁଭୂତ ହୋଇ ମନୁଷ୍ୟ ଅଂଶୁଘାତର ଶିକାର ହେବାର ଆଶଙ୍କା ଅଧିକ ରହିଥାଏ। ଏହି ସମସ୍ତ ବିଷୟକୁ ଆମେ ଅନୁଭବ କରି ଅଂଶୁଘାତଠାରୁ ଦୂରେଇ ରହିବା ପାଇଁ ନିଜେ ସତର୍କତା ଅବଲମ୍ବନ କରିବା ସହ ନିଜ ପରିବାର ତଥା ସମାଜର ସବୁ ସ୍ତରରେ ‘ଅଂଶୁଘାତ’ ସତର୍କତା ଓ ସଚେତନତାର ବାର୍ତ୍ତା ଜାରି ରଖିବା ଆବଶ୍ୟକ ଅଟେ। ଆସନ୍ତୁ ଆମେ ସମସ୍ତେ ଏକ ହୋଇ ହାତକୁ ହାତ ମିଶାଇ ଆମ ପରିବେଶକୁ ସବୁଜ ବନାନୀ କରିବା।

(ଶେଷ ଭାଗ)
-ଡା. ବସନ୍ତ କୁମାର ଷଡ଼ଙ୍ଗୀ
ମୋ: ୭୮୯୪୧୧୨୪୮୭