କେନ୍ଦୁଝର,୧୦ା୬(ସ୍ବ.ପ୍ର./ଡି.ଏନ୍.ଏ.): ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହାଦ୍ୱାରା ଯାତାୟାତରେ ସୁବିଧା ହେବା ସହ ଗ୍ରାମାଞ୍ଚଳର ବିକାଶ ହେବ। ବଣ ପାହାଡ଼ଘେରା କେନ୍ଦୁଝର ଜିଲାର ପ୍ରତ୍ୟେକ ଗ୍ରାମକୁ ମୁଖ୍ୟସ୍ରୋତ ସହ ଯୋଡ଼ିବା ଲାଗି ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍ବିଏଡିସି) ପାଣ୍ଠି ସହାୟତାରେ ଉକ୍ତ କାର୍ଯ୍ୟ କରାଯାଇ ନୂତନ ସେତୁ ଓ ରାସ୍ତା ନିର୍ମାଣ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ସଶକ୍ତ ହୋଇପାରୁଛି।
ଜିଲାର ହରିଚନ୍ଦନପୁର, ବାଂଶପାଳ ଓ ଝୁମ୍ପୁରା ବ୍ଲକ୍ରେ ଓଏମ୍ବିଏଡିସି ପାଣ୍ଠି ବିନିଯୋଗରେ ମୋଟ ୨୬୨.୩୨ କି.ମି.ରାସ୍ତା ସଂଯୋଗୀକରଣ କାମ ଚାଲିଛି। ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୪.୦୪ କି.ମି. ନୂତନ ରାସ୍ତା ନିର୍ମାଣ ଶେଷ ହୋଇଛି। ଫଳରେ ୩୪ ପଞ୍ଚାୟତର ୧୪ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ବାକି ରାସ୍ତା ନିର୍ମାଣ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବାଂଶପାଳ ବ୍ଲକ୍ର ନୟାକୋଟ ପଞ୍ଚାୟତରେ ବିଭିନ୍ନ ନାଳ ଉପରେ ମୋଟ ୧୯୫.୩୯ ମିଟର ଲମ୍ବର ତିନୋଟି ସେତୁ ନିର୍ମାଣ କରାଯାଇଛି। ଏହା ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇଥିବାରୁ ୭ ଗଁାର ୩ ହଜାର ୮୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିପାରିଛି।
ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ‘ଓଏମ୍ବିଏଡିସି ପାଣ୍ଠି ସହାୟତାରେ କେନ୍ଦୁଝର ଜିଲାରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ଭିତରେ ରାସ୍ତା ସଂଯୋଗୀକରଣ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରାସ୍ତା ଏବଂ ସେତୁ ନିର୍ମାଣ ହେବା ଯୋଗୁ ଲୋକେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି। ସ୍ବାସ୍ଥ୍ୟସେବା ସହ ଅନ୍ୟାନ୍ୟ କାମ ପାଇଁ ସହର ସହ ଯୋଡ଼ିହୋଇପାରୁଛନ୍ତି।
ବାଂଶପାଳ ବ୍ଲକ୍ ଲୁଙ୍ଗାଝର ବାସିନ୍ଦା ବେଣୁଧର ନାଏକ କହନ୍ତି, ଆଗରୁ ତାଙ୍କ ଗାଁକୁ ଭଲ ରାସ୍ତା ନ ଥିବାରୁ ଯିବା ଆସିବାରେ ବହୁ ଅସୁବିଧା ହେଉଥିଲା। ଏବେ ପାହାଡ଼ କାଟି ରାସ୍ତା ହୋଇଛି। ଫଳରେ ସୁବିଧାରେ ଡାକ୍ତରଖାନା ଓ ପିଲାମାନେ ସ୍କୁଲ ଯାଇପାରୁଛନ୍ତି।
ପଞ୍ଚାୟତର ଅଧିବାସୀ ସୁମତୀ ନାଏକ କୁହନ୍ତି, ଗଁାକୁ ବିଭିନ୍ନ ନାଳ ଘେରି ରହିଛି। ବର୍ଷାଦିନ ହେଲେ ଗଁାରୁ ଲୋକେ ବାହାରକୁ ଯାଇପାରୁ ନ ଥିଲେ। ଏବେ ନାଳ ଉପରେ ପୋଲ ତିଆରି ହୋଇଛି। ସୁବିଧାରେ ସବୁଆଡ଼େ ଯାଇପାରୁଛନ୍ତି।
ଅନ୍ୟପକ୍ଷରେ ଜିଲାର ଅନେକ ଗ୍ରାମକୁ ରାସ୍ତା ନାହିଁ। ସେହିପରି ଏହି ଯୋଜନାରେ ହେଉଥିବା କାମ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଅନେକ ରାସ୍ତା ଓ ପୋଲ କମ୍ ଦିନରେ ଭାଙ୍ଗୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପାଣି ଭଳି ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସିପାରୁନାହିଁ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି। ସେହିପରି ଖଣି ଅଞ୍ଚଳରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ସେସବୁର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉନାହିଁ। ଏଣୁ ଏହି ଅର୍ଥରେ ନିର୍ମାଣ ହୋଇଥିବା କାମଗୁଡ଼ିକର ଠିକ୍ ଯାଞ୍ଚ ହେଲେ ବହୁ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିବ ବୋଲି ମତପ୍ରକାଶ ପାଉଛି। ବହୁ କାମ ଠିକ୍ ସମୟରେ ସରୁନାହିଁ କିମ୍ବା ସୂଚନା ଫଳକ ଲଗାଯାଉନାହିଁ। ଫଳରେ ପ୍ରକୃତ ତଥ୍ୟ ମିଳିପାରୁନାହିଁ ବୋଲି ପୂର୍ବତନ ବିଧାୟକ ନାୟକ କହିଛନ୍ତି।